Odia News Portal

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ମେଘୁଆ ପାଗ

 ଆଜି ସକାଳୁ କଟକ-ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମେଗୁଆ ପାଗ ଦେଖିବାକୁ ମିଳିଛି । ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ଦେଖାଦେଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ମାଲକାନଗିରିରେ ଶନିବାର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି।

ଟାଣ ଖରା ସାଙ୍ଗକୁ ଝାଞ୍ଜିପବନ ମୁହଁଦେହ ପୋଡି ପକାଇଛି । ଅପରାହ୍ଣ ସାଢେ ୨ଟା ସୁଦ୍ଧା ଗ୍ରୀଷ୍ମ ପ୍ରବାହ ଶିଖର ଛୁଇଁଥିଲା। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଏହି ସମୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ।

ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ତେଣୁ ଦିନ ଓ ରାତିରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ। ଦିନ ୧୦ଟାରୁ ଅପରାହ୍ଣ ୩ଟା ସୁଦ୍ଧା ଖରା ବଢିବା ଦ୍ୱାରା ଅଧିକ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ଏହି ସମୟରେ ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ଡିଗ୍ରୀ ତାପମାତ୍ରା ଅତିକ୍ରମ କରିବ। ଉପକୂଳ ଓଡ଼ିଶାରେ ୩୯ ଡିଗ୍ରୀ ସହ ୬୦ ପ୍ରତିଶତ ଆର୍ଦ୍ରତା ରହିବ। ଗରମ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ସତର୍କତା କରାଇଥିବା ବେଳେ ସମସ୍ତ ଜନସାଧାରଣ ଏବଂ ଜିଲାପାଳ ସତର୍କ ରହିବାକୁ ଏସଆରସି ନିର୍ଦେଶ ଦେଇଛନ୍ତି।