Odia News Portal

ସୁଟିଂରେ ଭାରତକୁ ପୁଣି ଏକ ସ୍ବର୍ଣ୍ଣ ଓ ରୌପ୍ୟ

 ଚଳିତ ଏସୀୟ କ୍ରୀଡ଼ାର ରବିବାର ଅଷ୍ଟମ ଦିନରେ ସୁଟିଂରେ ଭାରତକୁ ପୁଣି ଦୁଇଟି ପଦକ ମିଳିଛି । ଭାରତୀୟ ପୁରୁଷ ଦଳ ଡବଲ ଟ୍ରାପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ଦଳ ମଧ୍ୟ ଏହି ଇଭେଣ୍ଟରେ ରୌପ୍ୟ ପଦକ ହାତେଇଛନ୍ତି । ଭାରତୀୟ ସୁଟର ପୃଥ୍ୱୀରାଜ ଟୋଣ୍ଡାଇମାନ, କିନାନ୍ ଚେନାଇ ଏବଂ ଜୋରୱାର ସିଂଙ୍କ ତିନି ଜଣିଆ ଟିମ୍ ଡବଲ୍ ଟ୍ରାପ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ଡବଲ ଟ୍ରାପ ଇଭେଣ୍ଟରେ ମନୀଷା କିର, ରାଜେଶ୍ୱରୀ କୁମାରୀ ଏବଂ ପ୍ରୀତି ରଜକଙ୍କ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି।

କିନାନ୍, ଜୋରୱାର ଓ ପୃଥ୍ୱୀରାଜଙ୍କ ଭାରତୀୟ ଟିମ୍ ଫାଇନାଲରେ କୁଏତ ଓ ଚୀନ୍‌ ସୁଟରଙ୍କୁ ପଛରେ ପକାଇ ୩୬୧ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏସୀୟ କ୍ରୀଡ଼ାର ଟ୍ରାପ୍ ସୁଟିଂରେ କୌଣସି ଦଳ ଦ୍ୱାରା ଏହା ସର୍ବାଧିକ ସ୍କୋର | ଡବଲ୍ ଟ୍ରାପ୍ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ କିନାନ୍ ଓ ଜୋରୱାର୍ ସ୍ୱର୍ଣ୍ଣ ପାଇଁ ଲଢ଼ିବେ |

ଏହାପୂର୍ବରୁ ଅଷ୍ଟମ ଦିନରେ ଗଲ୍ଫରୁ ଭାରତକୁ ପ୍ରଥମ ପଦକ ମିଳିଥିଲା । ଭାରତର ଅଦିତି ଅଶୋକ ମହିଳା ଗଲ୍ଫ ଇଭେଣ୍ଟରେ ସ୍ୱର୍ଣ୍ଣରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ତଥାପି ସେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ଅଦିତି ପ୍ରଥମ ଭାରତୀୟ ମହିଳା ଗଲ୍ଫର୍ ଭାବେ ଏସୀୟ କ୍ରୀଡ଼ାରେ ପଦକ ଜିତିଛନ୍ତି |

ଭାରତ ଚଳିତ ଏସୀୟ କ୍ରୀଡ଼ାରେ ଏପର୍ଯ୍ୟନ୍ତ ୧୧ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୧୪ଟି ବ୍ରୋଞ୍ଜ ପଦକ ଜିତିଛି |