Odia News Portal

ସ୍ୱାମୀକୁ ମାରି ଘରେ ପୋତିଦେଲା ସ୍ତ୍ରୀ

ସ୍ୱାମୀକୁ ମାରି ଘରେ ପୋତିଦେଲା ପତ୍ନୀ । ଏଭଳି ଏକ ଅଭିଯୋଗକୁ ନେଇ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗ ପରେ ଓଡ଼ଗାଁ ପୋଲିସ ପହଞ୍ଚି ମାଟିତଳୁ ମୃତଦେହକୁ ଉଦ୍ଧାର କରିଛି। ନୟାଗଡ଼ ଓଡ଼ଗାଁ କୋମଣ୍ଡ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, କୋମଣ୍ଡ ଗାଁର ପ୍ରକାଶ ନାୟକ ପ୍ରାୟ ୨୦ ଦିନ ହେଲା ନିଖୋଜ ଥିଲେ । ଏନେଇ ପ୍ରକାଶଙ୍କ ବାପାଙ୍କ ସନ୍ଦେହ ହେବାରୁ ଓଡଗାଁ ଥାନାରେ ଅଭିଯୋଗ କରିଥିଲେ l

ଅଭିଯୋଗ ପରେ ପୋଲିସ ଛାନଭିନ୍ କରିବା ସହ ଓଡ଼ଗାଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଛି। ଗାଁରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି l ସାଇଣ୍ଟିଫିକ ଟିମ୍ ବି ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଚଳାଇଛି। ତେବେ କାହିଁକି ଏଭଳି ଘଟଣା ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳି ନ ଥିଲେ ବି ପରକୀୟା ପ୍ରୀତି ଧରାପଡ଼ିଯିବାରୁ ସ୍ତ୍ରୀ ଏ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ପୋଲିସ ସଂପୃକ୍ତ ପତ୍ନୀ ଓ ତା’ର ପ୍ରେମିକ ଓ ଶାଶୁକୁ ଅଟକ ରଖି ତଦନ୍ତ ଚଳାଇଛି। ଏଥିସହ ଘଟଣାସ୍ଥଳରେ ସିନ୍ ରିକ୍ରିଏଟ୍ କରିଛି ପୋଲିସ।