Odia News Portal

୧.୮ କୋଟିର ଅନଲାଇନ ଠକେଇ, ୨ ଗିରଫ

ଦିଲ୍ଲୀ ପୁଲିସ ଅନ୍‌ଲାଇନ ଠକେଇ ମାମଲାରେ ମଙ୍ଗଳବାର ଦୁଇଜଣ ନାଇଜେରୀୟ ନାଗରିକଙ୍କୁ ଗିରଫ କରିଛି । ଇନ୍‌ଷ୍ଟାଗ୍ରାମରେ ଗୁରୁଗ୍ରାମ ବାସିନ୍ଦା ଜଣେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିବାପରେ ଦୁଇ ଅଭିଯୁକ୍ତ ତାଙ୍କଠାରୁ ୧.୮ କୋଟି ଟଙ୍କା ଲୁଟି ନେଇଥିବା ଜଣାପଡିଛି ।

ଏମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନିଜକୁ ବ୍ରିଟିଶ ଏୟାରୱେଜ ପାଇଲଟ୍‌ଭାବେ ପରିଚୟ ଦେଇ ନିୟମିତଭାବେ ମହିଳାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ । ଗତବର୍ଷ ସେ ମହିଳାଙ୍କ ନିକଟକୁ ଉପହାର ସ୍ୱରୂପ ଏକ ଆଇ-ଫୋନ, କିଛି ସ୍ୱର୍ଣ୍ଣାଳଙ୍କାର ଓ ଅନ୍ୟ ସାମଗ୍ରୀ ପଠାଉଥିବା କହିଥିଲେ । ପ୍ରଥମେ ବହିଃଶୁଳ୍‌କ ବାବଦରେ ୩୫ ହଜାର ଟଙ୍କା ପୈଠ କରିବାକୁ ମହିଳାଙ୍କୁ କୁହାଯାଇଥିଲା ।

ପରବର୍ତ୍ତୀ ସମୟରେ ବିଭିନ୍ନ ଆଳରେ ଅଭିଯୁକ୍ତମାନେ ଉକ୍ତ ମହିଳାଙ୍କ ନିକଟରୁ ମୋଟ ୧.୮ କୋଟି ଟଙ୍କା ଲୁଟିନେଇଥିଲେ । ଠକାମୀର ଶିକାର ହୋଇଥିବା ଜାଣିବାପରେ ମହିଳା ଜଣକ ଏପ୍ରିଲ ୧୦ରେ ଗୁରୁଗ୍ରାମ ଥାନାରେ ଏତଲା ଦାଏର କରିଥିଲେ । ଏହାକୁ ଆଧାର କରି ପୁଲିସ ଦିଲ୍ଲୀର ନିହାଲ ବିହାର ଅଞ୍ଚଳରୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୬ଟି ବ୍ୟାଙ୍କ ପାସ୍‌ବୁକ୍‌, ଗୋଟିଏ ଚେକ୍‌ବୁକ୍‌, ୨୫ଟି ଏଟିଏମ କାର୍ଡ, ୭ ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍‌, ଗୋଟିଏ ସ୍କୁଟର ଓ ନଗଦ ୧୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।