Odia News Portal

୫ ଜିଲ୍ଲାରେ ଚାଲିଲା ୨୫୫ ଲକ୍ଷ୍ମୀ ବସ୍‌

ବୁଧବାର ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ୨୫୫ଟି ବସ୍‌ ଚାଲିଲା ଏବଂ ଏହାଦ୍ୱାରା ୭୧ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍ଷ୍ମୀ ବସ୍‌ ରାଜ୍ୟର ସବୁ ଗାଁରେ ସାମାଜିକ ଓ ସାଂସ୍କୃତିକ କାର୍ୟ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ । ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ୟ୍ୟ କରିପାରିବେ । ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ ।
ବାଲେଶ୍ୱର ଜିଲ୍ଲାର ୩୧୫ଟି ପଞ୍ଚାୟତରେ ୪୮ଟି ବସ୍‌ ଚାଲିଲା ଓ ୨୦ଲକ୍ଷ ୪୨ ହଜାର ଲୋକ ଉପକୃତ ହେଲେ । ନୂଆପଡାର ୧୨୩ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲିଲା ଓ  ୫ ଲକ୍ଷ ୭୪ ହଜାର ଲୋକ ଉପକୃତ ହେଲେ । ବୌଦ୍ଧର ୫୫ଟି ପଞ୍ଚାୟତରେ  ୧୦ଟି ବସ୍‌ ଚାଲିଲା ଏବଂ ୩ ଲକ୍ଷ ୫୩ ହଜାର ଲୋକ ଉପକୃତ ହେଲେ ।  ଗଞ୍ଜାମର ୪୩୩ଟି ପଞ୍ଚାୟତରେ ୧୩୦ଟି ବସ୍‌ ଚାଲିଲା ଏବଂ ୩୪ ଲକ୍ଷ ୪୭ ହଜାର ଲୋକ ଉପକୃତ ହେଲେ । ସେହିପରି ଜଗତସିଂହପୁରର ୧୩୧ଟି ପଞ୍ଚାୟତରେ  ୪୨ଟି ବସ୍‌ ଚାଲିବା ସହିତ ୭ ଲକ୍ଷ ୫୦ ହଜାର ଲୋକ ଉପକୃତ ହେଲେ ।

ଫଳରେ ବୁଧବାର ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚଳାଚଳ ଆରମ୍ଭ କରିଛି । ସମୁଦାୟ ୩୦ଟି ଜିଲ୍ଲାରେ ୧୩୫୪ଟି ବସ୍‌ ଚାଲିବା ଆରମ୍ଭ କରିଛି ଏବଂ ଏହାଦ୍ୱାରା ୬୦୩୧ଟି ପଞ୍ଚାୟତର ୩.୬୪ କୋଟି ଲୋକ ଉପକୃତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟର ସବୁ ପଞ୍ଚାୟତରେ ସମୁଦାୟ ୧୭୪୫ଟି ବସ୍‌ ଚାଲିବ । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି ।