Odia News Portal

ସ୍ମାର୍ଟସିଟି ବିକାଶ ପାଇଁ ଅପରାଜିତାଙ୍କ ୧୦ ପ୍ରସ୍ତାବ

ଦିଲ୍ଲୀରେ ୫ଟି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ବର: ରାଜଧାନୀ ଦିଲ୍ଲୀରେ ୫ଟି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ବରର ବିକାଶ ପାଇଁ ୧୦ଟି ପ୍ରସ୍ତାବ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।ସାଂସଦ ଅପରାଜିତା କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏ ସଂପର୍କରେ ଦିଲ୍ଲୀରେ ଏକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସିଟି କ୍ଲଷ୍ଟର ଅଧିନ ଉର୍ଜିତ ପ୍ରକଳ୍ପରେ ଭୁବନେଶ୍ବରକୁ ସାମିଲ କରାଯାଉ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଓଡ଼ିଶାରେ ୪୮୦ କିଲୋମିଟର ଲମ୍ବା ଉପକୂଳ ରହିଛି । ତେଣୁ ଏଠାରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଅଧିନରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ ମେରାଇନ୍ ବାୟୋଟେକ୍ନୋଲୋଜି ନିର୍ମାଣ କରାଯିବାକୁ ଦାବି କରିଛନ୍ତି ଭୁବନେଶ୍ବର ସାଂସଦ । ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆରେ ଇଏସଆଇ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ।

ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଇପିଏଫ ପେନସନ୍ ଆସୋସିଏସନ୍, ଓଡ଼ିଶା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ନିରାକାରପୁରରେ ନୂଆ ଜଗନ୍ନାଥ ସଡ଼କର ଜାତୀୟ ରାଜପଥ ସହ ସଂଯୋଗ ସ୍ଥଳରେ ଉପରେ ଫ୍ଲାଇଓଭର ନିର୍ମାଣ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଲୋଚନା କରିଛନ୍ତି । ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ, ଖୋର୍ଦ୍ଧା ନିଜିଗଡ଼- ତାପଙ୍ଗରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରିବା ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।