Odia News Portal

ଚବିଶ ପାଇଁ ଚପାକସିଆ କସରତ, ନବେ ଦଶକର ନେତାଙ୍କ ଉପରେ ନଜର

ଭୁବନେଶ୍ୱର ; ୨୦୨୪ ପୂର୍ବରୁ ୨୦୨୨ ହେବାକୁ ଯାଉଛି ରାଜନୈତିକ ସେମିଫାଇନାଲ । ରାଜ୍ୟରେ ସବୁ ଦଳ ପାଇଁ ଆସନ୍ତାବର୍ଷ ହେବାକୁ ଯାଉଛି ଏସିଡ ଟେଷ୍ଟ । କିଏ କିଣିବ ମନ, କିଏ କରିବ ଶାସନ । ୨୨ କହିବ ୨୪ ଫଳାଫଳ । ୨୦୨୨ ଦ୍ୱିତୀୟାର୍ଦ୍ଧରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାକୁ ଯାଉଛି । ଯାହାର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ନିର୍ବାଚନ କମିଶନ । ତେବେ ଏହାକୁ ନେଇ ବିଜେଡି ବିଜେପି ଓ କଂଗ୍ରେସ ଶିବିର ବି ଏବେ ଠୁ କରମ କଶିଲେଣି । ବିଜେପି ସାଙ୍ଗଠାନିକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ବିଜୁ ଜନତା ଦଳ ସାଙ୍ଗଠାନିକ ଅଦଳବଦଳ କରି ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି । କଂଗ୍ରେସ ବି ପଛରେ ପଡିନି । ଜିଲ୍ଲାରେ ତୃଣମୂଳସ୍ତରରେ ସଂଗଠନ ଦୁର୍ବଳ ଥିଲେ ବି ବିଭିନ୍ନ ଦାବି ଓ ପ୍ରତିବାଦ ମାଧ୍ୟମରେ କଂଗ୍ରେସ ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି ।

୨୦୨୪ ନିର୍ବାଚନ ପାଇଁ ମୂଳଦୁଆ ସଜାଡି ଚାଲିଛି ବିଜେଡି । ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ନେତାମାନଙ୍କ ସହ ୱାନ ଟୁ ୱାନ କରୁଥିବା ବେଳେ ଲୋକଙ୍କ ସହ ଛିଡା ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି । ସେପଟେ ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସାରା ବୁଲି ବୁଲି ଯେଉଁଠି ଫାଟ ରହିଛି ତାହାର ସରଳ ସମାଧାନ କରୁଛନ୍ତି । ଏମିତିକି ସବୁ ଲୋକଙ୍କ ପାଖରେ ଯେପରି ସରକାରୀ ଯୋଜନା ପହଂଚିବ ତାହାର ତଦାରଖ କରିବାକୁ ସ୍ଥାନୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ଗସ୍ତ କରି ଲୋକଙ୍କ କଳାହାଣ୍ଡିରେ ଇନ୍ଦ୍ରାବତୀ ପ୍ରକଳ୍ପ ଓ ରାଉରକେଲାରେ ହକି ଷ୍ଟାଡିୟମ୍ ପ୍ରତିଷ୍ଠା କରି ଲୋକଙ୍କ ମନ କିଣିଛନ୍ତି । ସାରା ରାଜ୍ୟର ବିଭିନ୍ନ ପୁରାତନ ମନ୍ଦିରର ପୁନରୁଦ୍ଧାର କରି ଧର୍ମୀୟ ଚେତନାର ପ୍ରସାର କରିଛନ୍ତି । ଜନ୍ମରୁ ମୃତ୍ୟୁ ଯାଏ ଯୋଜନା ପରେ ଯୋଜନା କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବରୁ ଦଳ ଭିତରୁ ଦଳର ଉତରାଧିକାରୀ ବାଛିବା ପାଇଁ ଘୋଷଣା କରିଥିବା ବେଳେ ୨୦୨୪ରେ ଏଭଳି କିଛି ହେବ କି ଆଶଙ୍କାରେ ରାଜନୀତି ବିଷାରଦମାନେ । ଏଯାବତ ସର୍ବାଧିକ ସମୟ କ୍ଷମତା ଦଖଲ କରିବାରେ ନବୀନ ଯେଉଁ ରେକର୍ଡ ସୃଷ୍ଟି କରିଛନ୍ତି ତାହା ସେ ଅବ୍ୟାହତ ରଖିବେ ନା କେଉଁ ଯୁବ ଚେହେରାଙ୍କୁ ହଠାତ ଉତରାଧିକାରୀ ଭାବେ ଘୋଷଣା କରି ନବୀନ ମିରାକିଲ ଦେଖାଇବେ ତାହା ଉପରେ ସାରା ଦେଶର ନଜର ରହିଛି ।

ଏବେ ଆସିବା ବିଜେପି ଶିବିରକୁ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ ପଦ ଦେଇ କିଭଳି ଓଡିଶା ରେସ୍ ପାଇଁ ବାଟ ସଫା କରିଛି ବିଜେପି ତାହା ଆମେ ପୂର୍ବରୁ ଦେଖାଇ ସାରିଛୁ । ଧର୍ମେନ୍ଦ୍ର ହିଁ ବିଜେପିର ଚେହେରା ଓ ତାଙ୍କରି ନେତୃତ୍ୱରେ ଦଳ ଓଡିଶାରେ ନିର୍ବାଚନ ଲଢ଼ିବ ଏହା ନିଶ୍ଚିତ । କିନ୍ତୁ କଥା ଉଠିଛି ଧର୍ମେନ୍ଦ୍ର ବିରୋଧି ମାନେ କରିବେ କଣ ? ଏହା ଭିତରେ ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ଥିବା ଟିଭି ଓ ପୋର୍ଟାଲ ଏହା ଭିତରେ ଧର୍ମେନ୍ଦ୍ରଙ୍କୁ ହତାଶ ବୋଲି ବାରମ୍ବାର ଖବର ବଜାଇ ଚାଲିଛି । ସେହିପରି ସାଂସଦ ଅପରାଜିତା ଅପରାଜିତା ଯଦିଓ ଉପରେ ଉପରେ ଧର୍ମେନ୍ଦ୍ରଙ୍କ ସହ ସ୍ୱାଭାବିକ ଥିବା ଜଣାପଡୁଛନ୍ତି କିନ୍ତୁ ଭିତରେ କୁଆଡେ ସେ ବି ମୁକୁ ବିରୋଧି ବୋଲି ଦଳରେ ଚର୍ଚ୍ଚା ହେଉଛି । ଆଉ ନୂଆ କରି ରାଜନୀତିକୁ ଆସି ବି ରେଳ ବିଭାଗ ଭଳି ସବୁଠୁ ବଡ ବିଭାଗର ମନ୍ତ୍ରୀ ପଦ ପାଇଥିବା ଓ ମୋଦି-ଶାହାଙ୍କ ବିଶ୍ୱାସ ଜିତିଥିବା ଅଶ୍ୱିନୀ ବୈଷ୍ଣବଙ୍କ ଚାଲିଚଳନ ଉପରେ ବି ନଜର ରହିବା ସ୍ୱାଭାବିକ । ତେଣୁ ଧର୍ମେନ୍ଦ୍ର ଏକଲା ଚାଲିବେ ନା ଏମାନେ ସମସ୍ତେ ତାଙ୍କ ସାଙ୍ଗରେ ଯିବେ ତାହା ଆଉ ଏକ ବଡ ସଙ୍କଟ । ତେଣୁ ଦଳ ଭିତରେ ଅନ୍ତଦ୍ୱନ୍ଦକୁ ପ୍ରଶମିତ କରି ସମସ୍ତେ ଏକାଠି ଲଢ଼ିବେ ନା ବିରୋଧୀ ଏହାର ଫାଇଦା ନେବେ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।

ଏବେ କଂଗ୍ରେସ କଥା ଦେଖିବା । ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯଦିଓ କଂଗ୍ରେସ ଏକ ଚଳନୀୟ ସ୍ଥିତିରେ ରହିଛି କିନ୍ତୁ ସତାକୁ ଫେରିବା ଆଶା କରିବା ସହଜ ନୁହେଁ । ଦଳ ଭିତରେ ଅନ୍ତ କନ୍ଦଳ ସର୍ବାଧିକ ଥିବା କାରଣରୁ ଓ ପ୍ରଭାରୀଙ୍କ ପ୍ରଭାବଶୂନ୍ୟ ନୀତି ପାଇଁ ଦଳ ଏବେ ବ୍ୟାକଫୁଟରେ । ଦିନେ ମୁଖ୍ୟ ବିରୋଧୀ ଥିବା କଂଗ୍ରେସ ମାତ୍ର୯ ଜଣ ବିଧାୟକ ଓ ଜଣେ ଏମପିଙ୍କୁ ଜିତାଇ ପାରିଛି । ସେମାନେ ପୁଣି ନିଜ ନିଜ ଇମେଜ ପାଇଁ ଭୋଟ ସେୟାର ଅଧିକ ପାଇଛନ୍ତି । ନିଜେ ପିସିସି ସଭାପତି ୨ଟି ଆସନରୁ ଲଢ଼ି ପରାଜିତ । ତେଣୁ ଦଳ ଏକାକୀ ନିର୍ବାଚନ ଲଢ଼ିବ ନା ଅନ୍ୟରାଜ୍ୟ ଭଳି କୌଣସି ଅନ୍ୟ ଦଳ ସହ ବୁଝାମଣା କରିବ ତାହା ମଧ୍ୟ ବଡ ପ୍ରଶ୍ନ । କାରଣ ରାଜ୍ୟରେ ତୃତୀୟ ସାମ୍ମୁଖ୍ୟ ଯଦି ଗଠନ ହୁଏ ସେଥିରେ ବିଜେପି ଓ ବିଜେଡିର କିଛି ହେଭିୱେଟ ନେତା ସମର୍ଥନ ଦେବାର ସମ୍ଭାବନା ରହିଛି ।

ସବୁଠୁ ବଡ କଥା ହେଲା, ନବେ ଦଶକର ପାୱାରଫୁଲ ନେତାଏ କଣ କରିବେ ତାହା ସମସ୍ତଙ୍କ ମୁଣ୍ଡବିନ୍ଧା କରାଇବ । ପଂଚାନନ କାନୁନଗୋ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଦାମ ରାଉତ, ପ୍ରଫୁଲ ଘଡାଇ, ଶ୍ରୀକାନ୍ତ ଜେନାଙ୍କ ଭଳି ନେତାଏ ନିର୍ବାଚନ ଲଢ଼ିବେ ନା କଂଗ୍ରେସ ସମର୍ଥନରେ ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା କରିବେ ତାହା ଏବେ ବି ସନ୍ଦିହାନ । ଯଦିଓ ନବୀନଙ୍କ ବର୍ତମାନର ଲୋକପ୍ରିୟତା ଆଗରେ ଏମାନେ ସମସ୍ତେ ଏବେ ଅକାମୀ କିନ୍ତୁ ସେମାନଙ୍କ ରାଜନୈତିକ ବିଚକ୍ଷଣତା ଅନେକ ଅସମ୍ଭବକୁ ବି ସମ୍ଭବ କରିଦେଇପାରେ । ତେଣୁ ଏ ଦିଗରେ ବି ସମସ୍ତଙ୍କର ନଜର ରହିଛି । ଅନଙ୍ଗ ଉଦୟ ସିଂଦେଓ, ତଥାଗତ ଶତପଥି, ଭର୍ତ୍ତୁହରି ମହତାବଙ୍କ ଭଳି ନେତାଏ ବିଜେଡିକୁ ସମର୍ଥନ ଦେବେ ନା ତୃତୀୟ ସାମ୍ମୁଖ୍ୟକୁ ବଳ ଯୋଗାଇବେ ନା ବିଜେପି ସହ ଯିବେ ତାହା ମଧ୍ୟ ଏକ ରହସ୍ୟ ଭିତରେ ରହିଛି । ଯଦି ତୃତୀୟ ସାମ୍ମୁଖ୍ୟ ଗଠନ ହୁଏ ତେବେ ବାମଦଳ, ଆମ୍ ଆଦମୀ ପାର୍ଟି ଓ ତୃଣମୂଳ କଂଗ୍ର୍ରେସର ଭୂମିକା ସେଥିରେ କଣ ରହିବ ତାହା ଉପରେ ମଧ୍ୟ ଆଲୋଚନା କରାଯାଇପାରେ । ସର୍ବୋପରି ଓଡିଶା ଭୋଟର କାହାକୁ ବିଶ୍ୱାସ କରିବେ, କାହାର ନେତୃତ୍ୱକୁ ଗ୍ରହଣ କରିବେ ଓ କାହା ସହ ରହିବେ ତାହା ଭୋଟରଙ୍କ ମୁଡ ଓ ସେତେବେଳର ପଲିଟିକାଲ ସିନାରିଓ ଉପରେ ନିର୍ଭର କରେ ସତ କିନ୍ତୁ ଏକଥା ସତ ୨୦୨୪ରେ ରାଜନୀତି ପାଣିପାଗ କଣ ହେବ ତାହା୨୦୨୨ ପଂଚାୟତ ଓ ପୌର ନିର୍ବାଚନ ହିଁ ସଫା ସଫା ବୁଝାଇଦେବ ।