Odia News Portal

୪୨୬୭ ଡିଏଲ ୩ ମାସ ପାଇଁ ବାତିଲ୍

ଭୁବନେଶ୍ୱର: ରାଜଧାନୀର ଆରଟିଓ ୧ ଓ ୨, କଟକ, ସମ୍ବଲପୁର, ରାଉରକେଲା ଆରଟିଓରେ ବିଗତ ୨୧ ଦିନ ମଧ୍ୟରେ ସର୍ବାଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି ।ତେବେ ମଦପିଇ ଗାଡ଼ି ଚାଳନା ପାଇଁ ଅଧିକାଂଶ ଲାଇସେନ୍ସ ବାତିଲ୍ ହୋଇଥିବା ବେଳେ ଅତ୍ୟଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକ୍ ରେଡ୍ ଲାଇଟ୍ ନମାନିବା, ଗାଡ଼ି ଚାଳନା ବେଳେ ଫୋନ୍ ବ୍ୟବହାର କରିବା, ମାଲବାହୀ ଗାଡ଼ିରେ ଓଭରଲୋଡ୍ କିମ୍ବା ଯାତ୍ରୀ ପରିବହନ ଏବଂ ହେଲମେଟ ନପିନ୍ଧିବା ଯୋଗୁଁ ଡିଏଲ୍ ୩ ମାସ ଲାଗି ବାତିଲ୍ ହୋଇଛି ।

ଭୁବନେଶ୍ୱର ଆରଟିଓ-୧ରେ ୬୫୪ଟି ଡିଏଲ୍ ବାତିଲ୍ ହୋଇଥିବା ବେଳେ ଭୁବନେଶ୍ୱର ଆରଟିଓ-୨ରେ ୫୪୮ଟି, କଟକ ଆରଟିଓରେ ୫୩୭ଟି, ସମ୍ବଲପୁର ଆରଟିଓରେ ୪୧୦ଟି ଏବଂ ରାଉରକେଲା ଆରଟିଓରେ ୨୭୯ଟି ଡିଏଲ୍ ବାତିଲ୍ ହୋଇଛି । ସେହିଭଳି ମଦ ପିଇ ଗାଡ଼ି ଚାଳନା ଲାଗି ୭୮ ଜଣଙ୍କ ଡିଏଲ୍ ବାତିଲ୍ ହୋଇଥିବା ବେଳେ ସିଲ୍ଟ ବେଲ୍ଟ ବାନ୍ଧିନଥିବା ଯୋଗୁଁ ୩୨ ଜଣଙ୍କ, ୨ ଚକିଆ ଯାନରେ ହେଲମେଟ ପିନ୍ଧି ନଥିବା ପାଇଁ ୨ ହଜାର ୬୮୮ ଜଣଙ୍କ, ମାଲବାହୀ ଗାଡ଼ିରେ ଓଭରଲୋଡ୍ ପାଇଁ ୬୬ ଜଣଙ୍କ, ମାଲବାହୀ ଗାଡ଼ିରେ ଅଧିକ ଲୋକ ପରିବହନ ପାଇଁ ୪୦ ଜଣଙ୍କ, ଓଭରସ୍ପିଡ୍ ପାଇଁ ୭୨୮ ଜଣଙ୍କ, ଟ୍ରାଫିକ୍ ସିଗନାଲ ନମାନିବା ପାଇଁ ୯୯ ଜଣଙ୍କ, ଡ୍ରାଇଭିଂ ବେଳେ ଫୋନ୍ ବ୍ୟବହାର ପାଇଁ ୨୫୫ ଜଣଙ୍କ ଡିଏଲ୍ ବାତିଲ୍ ହୋଇଥିବା ବେଳେ ଅନ୍ୟ କାରଣରୁ ୨୮୧ ଜଣଙ୍କ ଏହିଭଳି ଜାନୁଆରୀ ୧ରୁ ୨୧ ତାରିଖ ସୁଦ୍ଧା ରାଜ୍ୟରେ ୪ ହଜାର ୨୬୭ ଜଣଙ୍କ ଡିଏଲକୁ ୩ ମାସ ପାଇଁ ବାତିଲ୍ କରାଯାଇଛି ।