Odia News Portal

ବେସାହାରାଙ୍କୁ ମିଳିଲା ବଞ୍ଚିବାର ରାହା

ବାପା ମା ଛେଉଣ୍ଡ ୪ ଅନାଥ ଶିଶୁଙ୍କୁ ମିଳିଲା ପ୍ରଶାସନର ସହାୟତା

ହିଞ୍ଜିଳିକାଟୁ: ଦୁନିଆରେ ବଞ୍ଚି ରହିଛନ୍ତି ଏମିତି ଅନେକ ବାପା ମା ଛେଉଣ୍ଡ ଅସହାୟ ପିଲା | ଭଗବାନ ଏମାନଙ୍କ ପାଇଁ ସତେ ଯେମିତି ନିଷ୍ଠୁର ହୋଇ ପଡୁଛନ୍ତି | ତେବେ ସେହି ଭଳି ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମାସିଆଖାଲି ଗ୍ରାମର ହରିଜନ ସାହିରେ | ଚାରି ସନ୍ତାନକୁ ଜନ୍ମ ଦେଇ ବାପାମା ଆରପାରିକୁ ଚାଲିଯାଇଥିବା ବେଳେ ଏକ ମାତ୍ର କନ୍ୟା ଉପରେ ବୋଝ ହୋଇପଡିଛନ୍ତି ଦୁଇ ଭାଇ ଆଉ ଗୋଟିଏ ଭଉଣୀ | କାହାଣୀଟି ପଢିବା ପାଇଁ ଏକ ଗପଭଳି ଲାଗୁଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା |

ମସିହଖାଲି ଗ୍ରାମ ହରିଜନ ସାହିର ତ୍ରିଲୋଚନ ନାୟକ ଓ ବାସନ୍ତୀ ନାୟକ ସ୍ୱାମୀ ସ୍ତ୍ରୀ ଦୁହେଁ ମାତ୍ର କିଛି ବର୍ଷ ବ୍ୟବଧାନରେ ପିଲାମାନଙ୍କୁ ଛାଡି ଆରପାରିକୁ ଚାଲିଗଲେ | ବାପା ତ୍ରିଲୋଚନ ୨୦୧୫ ମସିହାରେ ଲିଭେର ଜଣ୍ଡିସ ରୋଗରେ ପୀଡିତ ହୋଇ ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ଆରପାରିକୁ ଚାଲିଯାଇଥିବା ବେଳେ ମାତା ବାସନ୍ତୀ ୨୦୧୮ ମସିହାରେ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ | ଦିବ୍ୟାଙ୍ଗ ଦୃଷ୍ଟି ବାଧକ ବଡ ଝିଅ ସନ୍ତୋଷୀ ନାୟକ ୨୦୧୯ ମସିହାରେ ଗ୍ରାମର ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ଫେଲ କରିବା ପରେ ଦୁଇ ଭାଇ ସାଗର ନାୟକ (ଅଷ୍ଟମ ଶ୍ରେଣୀ), ସମୀର ନାୟକ (ତୃତୀୟ ଶ୍ରେଣୀ)  ଏବଂ ଭଉଣୀ ଶିବାନୀ ନାୟକ (୫ମ ଶ୍ରେଣୀ)ରେ ପାଠପଢାଇ ଅତି ଦୁଃଖରେ ଜୀବନ କାଟୁଥିବାର ଜଣାପଡିଛି |ମା ବଞ୍ଚିଥିବା ବେଳେ ଏକ ଅର୍ଦ୍ଧନିର୍ମିତ ଘର ଖଣ୍ଡେ କରିଥିବା ବେଳେ ଘର ସାମ୍ନାରେ କବାଟ ଖଣ୍ଡେ ଲାଗିନଥିବାର ଦେଖିବାକୁ ମିଳିଛି |

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରାସନ କାର୍ଡରେ ମାତ୍ର ୨୦ କିଲୋ ଚାଉଳ ମିଳୁଥିବା ବେଳେ ସନ୍ତୋଷୀଙ୍କୁ ମାତ୍ର ୭୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା ମିଳୁଛି | ସେହି ଟଙ୍କାରେ ୩ ଭାଇ ଭଉଣୀଙ୍କ ପାଠପଢା ସହ ଡାକ୍ତରୀ ଚିକିତ୍ସା କରି ଚଳିବା ସେମାନଙ୍କ ପାଇଁ କାଠିକର ପାଠ ପାଲଟିଛି | ଘରେ ବିଦ୍ୟୁତ ନଥିବାରୁ କିରୋସିନ ଡିବି ଲଗାଇ ପ୍ରବଳ ଗରମରେ ୪ ଭାଇ ଭଉଣୀ ଅର୍ଦ୍ଧନିର୍ମିତ ଘରେ ପଡିରହିଛନ୍ତି | ତେବେ ଉକ୍ତ ମସିହଖାଲି ଗ୍ରାମର ଜଣେ ଶିକ୍ଷକ ସେମାନଙ୍କୁ ମାସକୁ ମାସ କିଛି ଟଙ୍କା ଯୋଗାଉଥିବା ସହିତ ରାସନ ସାମଗ୍ରୀ ଯୋଗାଉଥିବାର ଜଣାପଡିଛି |

ତେବେ ଏହି ବିଷୟରେ ଜାଣିବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପାଇ ଜିଲ୍ଲା ଶିଶୁ ମଙ୍ଗଳ କାର୍ଯ୍ୟାଳୟର ସ୍ପେସିଲାଇଜେର ଏଦୋପସନାଲ ଏଜେନ୍ସି ମ୍ୟାନେଜର ସିବିଏନ ପ୍ରଧାନ ଏବଂ ବ୍ରହ୍ମପୁର ବାଳା ଆଶ୍ରମ ସୁପରିଟେଣ୍ଡ ସସ୍ମିତା ପାଢ଼ୀଙ୍କ ସମେତ ସମାଜସେବୀ କେ. ମଣିବାବୁ ବାପା ମା ଛେଉଣ୍ଡ ଚାରି ଭାଇ ଭଉଣୀଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ଦୁର୍ଦ୍ଧଶା ବୁଝିବା ସହ ସେମାନଙ୍କ ଭବିଷ୍ୟତ କିଭଳି ଉଜ୍ଜ୍ୱଳ ହେବ ଏବଂ ସେମାନଙ୍କୁ କିଭଳି ଥଇଥାନ କରାଯିବ ସେ ନେଇ ତଦନ୍ତ କରି ଫେରିଛନ୍ତି  |ଏଥିସହ ସରକାରଙ୍କ ପକ୍ଷରୁ ବିପିଏଲ ମାଧ୍ୟମରେ ମାଗଣା ବିଦ୍ୟୁତ ଯୋଗେଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି |

ସିଡବ୍ଲୁଏସି ମାଧ୍ୟମରେ ଏହି ଚାରିଜଣ ଅନାଥ ଶିଶୁଙ୍କୁ ପାଖ ଆଶ୍ରମ ସ୍ଥାନାନ୍ତର କରାଯିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ଅନ୍ୟପକ୍ଷରେ କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର , ତହସିଲଦାର ଇପ୍ସିତା ପ୍ରିୟଦର୍ଶୀ ମିଶ୍ର ଏବଂ ସଦର ଥାନା ଅଧିକାରିଣୀ ସନ୍ତୋଷୀ ଓରାମ ଘଟଣା ସ୍ଥଳରେ ପହଞ୍ଚି ଅନାଥ ଶିଶୁଙ୍କ ଦୁଃଖ ବୁଝିବା ସହ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା କରିଥିଲେ| ଅନ୍ୟପଟେ ବ୍ଲଡ଼ ଆର୍ମି ଗଞ୍ଜାମ ଏବଂ ବିପଦର ବନ୍ଧୁ ସଂଗଠନର ସଦସ୍ୟ ରବୀନ ସାହୁ, ପି. କୃଷ୍ଣ ପାତ୍ର,ଓ ବାଦଲ ତ୍ରିପାଠୀ ଉପସ୍ଥିତ ରହି ୪ ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଏକ ମାସର ରାସନ ସାମଗ୍ରୀ ,କପଡା ସାମଗ୍ରୀ ଏବଂ ପାଠ୍ୟଉପକରଣ ଯୋଗେଇଆସିଥିଲେ | ତେବେ ଏହି ୪ ଅନାଥ ଶିଶୁଙ୍କ ଉପରେ ପ୍ରଶାସନର ଦୃଷ୍ଟି ପଡିଥିବାରୁ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି |