Odia News Portal

ଆସୁଛି ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଛି ଟିକା ଅଭାବ । ଟିକା ନଥିବାରୁ କାଲିଠାରୁ ୧୭ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତେବେ ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟକୁ ଆସିବ ୮ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ । ଦୂର ହେବ ଭ୍ୟାକ୍ସିନ ଅଭାବ । କେନ୍ଦ୍ର ସରକାର ଏହି ୮ ଲକ୍ଷ ଟିକା ଯୋଗାଇବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଥାଉକି, ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରେ ଟିକାକରଣ କରାଯିବ ନାହିଁ । ସେହିପରି ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା, ସୋନପୁରରେ ଟିକାକରଣ ହେଉନାହିଁ । ଏବେ ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୪ ଲକ୍ଷ ୪୨ ହଜାର ୧୩୦ ଡୋଜ୍ ଟିକା ରହିଛି ।