Odia News Portal

୫୦ତମ ଜନ୍ମଦିନରେ ସଚିନଙ୍କୁ ମିଳିଲା ସ୍ୱତନ୍ତ୍ର ଉପହାର, ୱାଙ୍ଖଡେରେ ସ୍ଥାପନ ହେବ ପ୍ରତିମୂର୍ତ୍ତି

ବିଶ୍ବ କ୍ରିକେଟ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ବଡ଼ ନାଁ। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ତେନ୍ଦୁଲକରଙ୍କ ସାରା ବିଶ୍ବରେ ଅନେକ ପ୍ରଶଂସକ ଥିଲା ବେଳେ ଭାରତରେ ‌ପୂଜା ପାଆନ୍ତି। ‌ସେ ୧୦୦ ଶତକ ସହ ୩୪,୦୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ରନ୍‌ କରିଥିଲା ବେଳେ ୨୦୧୧ ଦିନିକିଆ ବିଶ୍ବ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏହି ମହାନ୍‌ କ୍ରିକେଟର୍‌ଙ୍କୁ ସମ୍ମାନ ଜଣାଇବା ଲାଗି ମୁମ୍ବାଇସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ) ନିଷ୍ପତ୍ତି ନେଇଛି। ‘‘ୱାଙ୍ଖଡେରେ ଏହା ପ୍ରଥମ ପ୍ରତିମୂର୍ତ୍ତି ହେବ।

ଏହି ଭାରତରତ୍ନ କ୍ରିକେଟ୍‌ ପାଇଁ କ’ଣ କରିଛନ୍ତି ସମସ୍ତେ ଜାଣିଛନ୍ତି। ଆସନ୍ତା ଏପ୍ରିଲ ୨୪ରେ ସେ ୫୦ ବର୍ଷ ବୟସରେ ପାଦ ଦେବେ। ଏଥିପାଇଁ ସଚିନଙ୍କ ଏକ ପ୍ରତିମୂର୍ତ୍ତି ୱାଙ୍ଖଡେ ଷ୍ଟାଡିୟମରେ ସ୍ଥାପନ କରାଯିବ। ଏହା ତାଙ୍କ ପାଇଁ ସଂଘର ଏକ ଛୋଟିଆ ଉପହାର ହେବ। ଏଥିଲାଗି ତାଙ୍କ ସହିତ ୩ ମାସ ତଳେ କଥା ହୋଇଥିଲି, ସେ ରାଜି ମଧ୍ୟ ଅଛନ୍ତି’’ ବୋଲି ଏମ୍‌ସିଏର ସଭାପତି ଅମୋଲ କାଲେ କହିଛନ୍ତି। ଏହି ପ୍ରତିମୂର୍ତ୍ତି ଏପ୍ରିଲ ୨୩ରେ ଉନ୍ମୋଚିତ ହେବାର ସମ୍ଭାବନା ରହିଛି।