Odia News Portal

ପବିତ୍ର ବାହୁଡ଼ା ଯାତ୍ରାକୁ ନେଇ ଭକ୍ତିମୟ ପରିବେଶ

ପିପିଲିରେ ପବିତ୍ର ବାହୁଡ଼ା ଯାତ୍ରାକୁ ନେଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ନଅ ଦିନର ଲୀଳା ସମାପ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ରତ୍ନବେଦୀ ଅଭିମୁଖେ ବାହୁଡ଼ା ବିଜେ କରୁଛନ୍ତି। ରଥ ଟାଣିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାବେଳେ ସମଗ୍ର ଅଞ୍ଚଳ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି। ପିପିଲିରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ନେଇ ସକାଳୁ ଆରମ୍ଭ ହୋଇଥିଲା ବିଭିନ୍ନ ନୀତିକାନ୍ତି। ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇ ରଥାରୂଢ଼ ହୋଇଥିଲେ ଶ୍ରୀଜୀଉମାନେ। ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବିଜେ କରିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଅସୀମ ଉତ୍ସାହ ଦେଖାଯାଇଥିଲା।

ରଥ ଟାଣିବା ପାଇଁ ହଜାର ହଜାର ଭକ୍ତ ରଥଦଉଡ଼ିକୁ ଧରି ମହାପ୍ରଭୁଙ୍କ ନାମ ସଙ୍କୀର୍ତ୍ତନ କରିଥିଲେ। “ଜୟ ଜଗନ୍ନାଥ” ଓ “ହରିବୋଲ” ଧ୍ୱନିରେ ପିପିଲି ସହର ଭକ୍ତିରସରେ ଭରିଯାଇଥିଲା। ମହିଳା, ପୁରୁଷ, ଯୁବପିଢ଼ି ଓ ଶିଶୁମାନେ ବିପୁଳ ସଂଖ୍ୟାରେ ଏହି ଦିବ୍ୟ ଯାତ୍ରାରେ ସାମିଲ ହୋଇଥିଲେ। ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପୋଲିସ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱେଚ୍ଛାସେବୀମାନେ ସମସ୍ତ ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା କରୁଥିଲେ।

ପିପିଲିରେ ବାହୁଡ଼ା ଯାତ୍ରାକୁ ନେଇ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ଦର୍ଶନ ଓ ରଥ ଟାଣିବା ପାଇଁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ମନରେ ଦେଖିବାକୁ ମିଳିଛି ଅପାର ଶ୍ରଦ୍ଧା ଓ ଭକ୍ତି। ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ଏହି ପବିତ୍ର ବିଜେ ସହ ଭକ୍ତମାନଙ୍କ ମନରେ ନୂତନ ଆଧ୍ୟାତ୍ମିକ ଉଲ୍ଲାସ ସଞ୍ଚାରିତ ହୋଇଛି।