Odia News Portal

ପୋଲିସ ଜିପ୍ ପୋଡ଼ି ମାମଲାରେ ୬ ଗିରଫ

ଭଦ୍ରକ: ପୋଲିସକୁ ମାଡ଼ ମାରିବା ଏବଂ ପୋଲିସ ଗାଡ଼ି ଜାଳିବା ଘଟଣାରେ ଏବେ ଆକ୍ସନ ମୋଡରେ ଭଦ୍ରକ ପୁଲିସ |ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି | ଗିରଫ ୬ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି ତିହିଡ଼ି ପୋଲିସ |

ଗିରଫ ଅଭିଯୁକ୍ତମାନଙ୍କୁ କଡ଼ା ପୋଲିସ ସୁରକ୍ଷାରେ ମଧ୍ୟରେ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା | ସେଠାରେ ସମସ୍ତଙ୍କ କରୋନା ଟେଷ୍ଟ ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ପରେ ସମସ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ଟାଉନ ଥାନାକୁ ଅଣାଯିବା ପରେ କୋର୍ଟ ଚାଲାଣ କରିଛି ପୋଲିସ | ତେବେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ନେଇ ଆଜି ଟାଉନ ଥାନା ପରିସରରେ ଭଦ୍ରକ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜତୀନ ପଣ୍ଡା ଏନେଇ ସୂଚନା ପ୍ରଦାନ କରିଛନ୍ତି |

ଗତ ୧୩ ତାରିଖ ଦିନ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧିନ ହାତୁଆରୀ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁକୁ ନେଇ ଅଲ୍ଲୀନଗର ଠାରେ ଘଟିଥିଲା ତୁମୁଳକାଣ୍ଡ | ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରି ମୃତକଙ୍କ ପରିବାର ସହିତ ଶତାଧିକ ଲୋକେ ପ୍ରଥମେ ଟାୟାର ଜାଳି ଭଦ୍ରକ ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ | ସେହି ସମୟରେ ପିରାହାଟ ଥାନା ପୋଲିସ ଏକ ଆସାମୀକୁ ନେଇ ଭଦ୍ରକ କୋର୍ଟକୁ ଆସୁଥିବା ସମୟରେ ରାସ୍ତା ଅବରୋଧ କରିଥିବା ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା |

ତେବେ ଉତ୍ୟକ୍ତ ପୋଲିସ ଭ୍ୟାନରେ ଥିବା ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ, ଏପରିକି ପୋଲିସ ଭ୍ୟାନକୁ ଜାଳି ଦେଇଥିଲେ | ତେବେ ଏହାର ସୁଯୋଗ ନେଇ ଗାଡ଼ିରେ ବସିଥିବା ଜଣେ ଆସାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ପୋଲିସକୁ ମାଡ଼ ମାରିବା ଏବଂ ପୋଲିସ ଗାଡ଼ି ଜାଳିବା ଘଟଣାରେ ଭଦ୍ରକ ପୋଲିସ ଏ ନେଇ ତିହିଡ଼ି ଥାନାରେ ୧୦୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାରେ ଜୋରଦାର ଉଦ୍ୟମ ଚଳାଇଛି |