Odia News Portal

ଭଦ୍ରକରୁ ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ: ଆକ୍ସନ ମୋଡରେ ଭଦ୍ରକ ପୁଲିସ | ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବେଆଇନ କାର୍ଯ୍ୟ ସହିତ ଅପରାଧିକ କାର୍ଯ୍ୟକଳାପ ଉପରେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ | ପ୍ରତିଦିନ ଗିରଫଦାରୀ ସହ କରାଯାଉଛି ଲକ୍ଷାଧିକ ଟଙ୍କାର ଜୋରିମାନ | କିନ୍ତୁ ଜିଲ୍ଲାରେ ଧଳା ଜହର ଅର୍ଥାତ ବ୍ରାଉନ ସୁଗାର କାରବାର କାୟା ବିସ୍ତାର କରିବାରେ ଲାଗିଛି |ତେବେ ଏହି କାରବାରରେ ଲିପ୍ତ ଥିବା ୨ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଭଦ୍ରକ ପୁରୁଣାବଜାର ଥାନା ପୋଲିସ | ଏଥିସହ ସେମାନଙ୍କ ଠାରୁ ଜବତ ହୋଇଛି ୨୭ ଗ୍ରାମର ବ୍ରାଉନ ସୁଗାର | ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କୀ ବୋଲି ଜଣାପଡ଼ିଛି |

ସୂଚନାନୁଯାୟୀ, ପୁରୁଣାବଜାର ଥାନା ଅନ୍ତର୍ଗତ ଆରଏମସି ମାର୍କେଟ କମ୍ପଲେକ୍ସ ନିକଟରୁ ବ୍ରାଉନ ସୁଗାର ବେପାର ହେଉଥିବା ପୋଲିସ ଖବର ପାଇଥିଲା | ପୁରୁଣା ବଜାର ପୋଲିସର ଏକ ଟିମ ଉକ୍ତ ଅଞ୍ଚଳରେ ପହଞ୍ଚି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଧରିଥିବା ବେଳେ ତା ନିକଟରୁ ପ୍ରାୟ ୨୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା |

ପରେ ଏନେଇ ଖୋଳତାଡ଼ କରିବା ପରେ ଆଉ ଜଣେ ଅଭିଯୁକ୍ତ ଏହି ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଥିବା ପୋଲିସ ଜାଣିବା ପରେ ତାକୁ ଗିରଫ କରି ତା ନିକଟରୁ ୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା | ଦୁଇ ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୭.୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ,ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜତୀନ ପଣ୍ଡା |