Odia News Portal

ରାଜଧାନୀର ଦବଙ୍ଗ ଗର୍ଲ ରିନାଙ୍କ କମାଲ୍

ଫିଲ୍ମି ଷ୍ଟାଇଲରେ କଲେ ଲୁଟେରାଙ୍କୁ କାବୁ

ଭୁବନେଶ୍ୱର: ଫିଲ୍ମି ଷ୍ଟାଇଲରେ ଲୁଟେରାଙ୍କୁ ପାନେ ଚଖାଇଲେ ରିନା । ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ରିନା ବୁଲେଟରେ ନିଜ ଘରକୁ ଫେରୁଥିଲେ । ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ ଫୋନ୍ ଝାମ୍ପି ନେଇଥିଲେ। କିନ୍ତୁ ଫୋନକୁ ସହଜରେ ଛାଡ଼ି ନ ଥିଲେ ରିନା ।ବରଂ ହାର ନମାନି ଚଳନ୍ତା ବୁଲେଟ୍‌ରେ ସେ ଲୁଟେରାଙ୍କ ପିଛା କରି ଲୁଟେରାଙ୍କୁ କାବୁ କରିଥିଲେ । ଲୁଟେରା ଓ ରିନାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଯୁବତୀ ଜଣଙ୍କ ଲୁଟେରାଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଜଣେ ଲୁଟେରାଙ୍କୁ ମଧ୍ୟ ମାଡ଼ି ବସିଥିଲେ । ତେବେ ଘଟଣାକୁ ଦେଖି ସ୍ଥାନୀୟ ଲୋକ ଲୁଟେରାକୁ କାବୁ କରି ନେଇଥିଲେ ।

ତେବେ ଘଟଣା ସ୍ଥଳରେ ଲୁଟେରାକୁ ପ୍ରବଳ ଛେଚି ଥିଲେ ସ୍ଥାନୀୟ ଲୋକେ । ଖବର ପାଇ ପୋଲିସ ଲୁଟେରାକୁ ହେପାଜତକୁ ନେଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ମଧ୍ୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛି । ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟକୁ ଆଧାର କରି ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ସେପଟେ ଯୁବତୀଙ୍କ ସାହସିକତାକୁ ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି | ଅନ୍ୟପକ୍ଷେ ପୋଲିସକୁ ଖୋଲା ଚ୍ୟାଲେଂଜ ଦେଇ ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା । ଅଧିକାଂଶ ସମୟରେ ଲୁଟେରାଙ୍କ ଟାର୍ଗେଟରେ ରହୁଛନ୍ତି ଯୁବତୀ ଓ ମହିଳା ।