Odia News Portal

ଭଦ୍ରକରେ ବିଜୁ ଯୁବ ଓ ଛାତ୍ର ସମାବେଶ

ଭଦ୍ରକ: ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଭଦ୍ରକର ଐତିହାସିକ ନେହେରୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଛି |ଏହି ସମ୍ମିଳନୀକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ତେବେ ଭିନ୍ନ ଭିନ୍ନ ଶୋଭାଯାତ୍ରା ମାଧ୍ୟମରେ ଜ଼ିଲ୍ଲାର ସମସ୍ତ ବ୍ଲକର କୋଣ ଅନୁକୋଣରୁ ବହୁ ଯୁବ, ଛାତ୍ର ବିଜେଡି କର୍ମୀ ମାନେ ନେହେରୁ ଷ୍ଟାଡିୟମରେ ପହଞ୍ଚିଥିଲେ | ପରେ ବିଜୁ ଯୁବ ଜନତାର ରାଜ୍ୟ ସଭାପତି ବେମୋକେଶ ରାୟଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା |

ଏଥିରେ ବିଜେଡି ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସହିତ ମନ୍ତ୍ରୀ ତଥା ଜ଼ିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଧର୍ମଶାଳା ବିଧାୟକତଥା ବିଜୁ ଯୁବ ଛାତ୍ର ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ବିଜୁ ଛାତ୍ର ସଭାପତି ଦେବି ରଞ୍ଜନ ତ୍ରିପାଠୀ. ପୃର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ସହିତ ସମସ୍ତ ବିଜୁ ଯୁବ ଛାତ୍ର କର୍ମକର୍ତା ମାନେ ଯୋଗ ଦେଇଥିଲେ | ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୁବ ଓ ଛାତ୍ର ନେତୃମଣ୍ଡଳୀଙ୍କୁ ସମ୍ବୋଧନ କରିଥିଲେ | ଭଦ୍ରକ ଜ଼ିଲ୍ଲାର ତୃଣମୂଳ ସ୍ତରର ଯୁବ ଛାତ୍ର କର୍ମୀ ମାନେ କିପରି ଆଗକୁ ସଙ୍ଗଠନ କୁ ମଜବୁତ କରିବେ, ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟ କିପରି ଜ଼ିଲ୍ଲାର କୋଣ ଅନୁକୋଣରେ ରହୁଥିବା ଲୋକ ମାନଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଯୁବ, ଛାତ୍ର ନେତା ମାନଙ୍କୁ ଉପସ୍ଥିତ ବରିଷ୍ଠ ନେତା ମାନେ ଆହ୍ୱାନ ଦେଇଥିଲେ |

ଦଳକୁ ମଜବୁତ କରିବା ସହ ସାଙ୍ଗଠନିକ କ୍ଷେତ୍ରରେ ଏକ ହୋଇ କାମ କରିବାକୁ ବିଜୁ ଯୁବ ଛାତ୍ର କର୍ମୀ ମାନଙ୍କୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି | ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଯୁବ ଓ ଛାତ୍ର ବର୍ଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ | ବହୁ ମାସର ବ୍ୟବଧାନ ପରେ ଜ଼ିଲ୍ଲା ରେ ଏଭଳି ସଭା ଆୟୋଜିତ ହେଉଥିବାରୁ, ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଥିଲା | ଏଥିରେ ୧୫ ହଜାର ରୁ ଅଧିକ ଯୁବ ଛାତ୍ର କର୍ମୀ ଯୋଗ ଦେଇଥିଲେ |