Odia News Portal

ବିଜେଡିର ବଡ଼ ବୈଠକ, ୧୦ ତାରିଖରେ ଶଙ୍ଖଭବନରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଆଗାମୀ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ ପକ୍ଷରୁ ଡାକାଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆସନ୍ତା ଜୁନ୍ ୧୦ ତାରିଖ ଅପରାହ୍ନ ୪ଟାରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଏନେଇ ବିଜେଡି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥିନୀ ଭାବେ ଲଢ଼ିଥିବା ସମସ୍ତ ନେତାଙ୍କୁ ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି।

ବୈଠକରେ ଦଳୀୟ ସଭାପତି ନେତାମାନଙ୍କ ସହ ବିଭିନ୍ନ ସାଂଗଠନିକ ଓ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିବେ। ବିଶେଷକରି SIR ସମ୍ପର୍କିତ କାର୍ଯ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳ ସ୍ତରରେ ସାଂଗଠନିକ କମିଟି ଗଠନ ଏବଂ ଦଳ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ସେହିପରି, ନେତାମାନେ ସିଧାସଳଖ ଭାବେ ଦଳୀୟ ସଭାପତିଙ୍କ ସହ ନିଜ ମତାମତ ଓ ପରାମର୍ଶ ରଖିପାରିବେ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସମସ୍ତ ପ୍ରମୁଖ ନେତାଙ୍କୁ ଏକାଠି କରିବାକୁ ଯାଉଥିବାରୁ ଏହି ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଦଳ ନିଜ ସଂଗଠନକୁ ଆହୁରି ସୁଦୃଢ କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି। ଏବେ ସମସ୍ତଙ୍କ ନଜର ରହିଛି ଜୁନ୍ ୧୦ ତାରିଖର ଏହି ବୈଠକ ଉପରେ। ବୈଠକରେ କେଉଁ ସବୁ ପ୍ରସଙ୍ଗ ଉଠିବ ଏବଂ ଦଳ ପକ୍ଷରୁ କେଉଁ ନୂଆ ରଣନୀତି ଘୋଷଣା ହେବ, ତାହାକୁ ନେଇ ଚର୍ଚ୍ଚା ବଢ଼ିଛି।