Odia News Portal

ବଲାଙ୍ଗୀରର ବିକ୍ରମଙ୍କୁ ବ୍ୟବସାୟୀରୁ କିଏ କରିଦେଲା ପାଗଳ ପ୍ରେମୀ

ଭୁବନେଶ୍ୱର: ବିକ୍ରମ ହାତରେ କିଏ ଧରାଇଲା ବନ୍ଧୁକ ? ବ୍ୟବସାୟୀକୁ କିଏ କରିଦେଲା ବେକାର ? ସାଧାସିଧା ପ୍ରେମିକକୁ କିଏ କରିଦେଲା ପାଗଳପ୍ରେମୀ ? ଏମିତି ଅନେକ ଅସମାପ୍ତ ପ୍ରଶ୍ନର ଉତର ଖୋଜୁଛି ପୁରୁଷର ପ୍ରେମ… । ବନ୍ଧୁକ ମୁନରେ ପ୍ରେମିକାର ସମ୍ପର୍କୀୟଙ୍କୁ ବନ୍ଧକ ରଖିଥିବା ଅଭିଯାଗରେ ଜେଲ୍ ଯାଇଛି ବିକ୍ରମ । ତିନି ମାସ ଯାଏଁ ବେଲ୍ ମିଳିବ କି ନାହିଁ କହି ହେଉନି । ହେଲେ ବିକ୍ରମର ହରକତ ମାତ୍ର କେଇ ଘଂଟାରେ ତାକୁ ସଜେଇ ଦେଲା ବଲାଙ୍ଗୀରର ବ୍ୟାଡ ବୟ । ହେଲେ ଏ ବ୍ୟାଡ ବୟ ବିକ୍ରମକୁ ଜେଲ୍‌ରୁ ମୁକୁଳେଇବାକୁ ଏବେ ଚାରିଆଡୁ ଉଠିଛି ଦାବି । ଯଦି ପ୍ରେମିକ ଦୁଆରେ ପ୍ରେମିକା ଧାରଣା ଦେଇ ସମାଜର ସମର୍ଥନ ପାଉଛି ତେବେ ପ୍ରେମିକ କ୍ଷେତ୍ରରେ ଆମେ ବିପରୀତ କାହିଁକି ? ଯେଉଁ ପ୍ରେମ ବିକ୍ରମ ହାତରେ ବନ୍ଧୁକ ଧରାଇ ଦେଲା ସେହି ପ୍ରେମର ସେ ହକଦାର ନୁହଁନ୍ତି କି ? ସରକାରୀ ଚାକିରୀ କରିନଥବାରୁ ପ୍ରେମିକାର ବାହାଘର ଅନ୍ୟ ପୁଅ ସହ କରାଇଦେବାକୁ ମସୁଧା କରୁଥିବା ପରିବାର କଣ ଠିକ୍ କରୁଥିଲେ ।

ବିକ୍ରମ ପଣ୍ଡା । ସରକାରୀ ଚାକିରୀ ପଛରେ ନପଡି ବଲାଙ୍ଗୀର ସହରରେ ଆରମ୍ଭ କରିଥିଲେ ଛୋଟିଆ ବ୍ୟବସାୟ । ସାଇବର କାଫେ ଖୋଲି ଭଲ ଦି ପଇସା ରୋଜଗାର ବି କରୁଥିଲେ । ଆଉ ଏ ନେଟ୍ କାଫେରୁ ଜଣେ ଯୁବତୀଙ୍କ ସହ ଗଢି ଉଠିଥିଲା ତାଙ୍କ ପ୍ରେମ ସମ୍ପର୍କ । ଉଭୟ ସମାନ ଜାତିର ହୋଇଥିବାରୁ ଦୁହେଁ ଦୁହିଁକୁ ବାହା ହେବେ ବୋଲି କଥା ଦେଇଥିଲେ । ଦୁଇ ବର୍ଷ ପରେ . . . । ବିକ୍ରମ ସରକାରୀ ଚାକିରୀ କରିନଥିବାରୁ ଘରେ ବିବାହ ପାଇଁ ରାଜି ହେଉନଥିବା ଦର୍ଶାଇ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ ପ୍ରେମିକା । ଝିଅର ବାପା ବି ଏହି ପ୍ରେମକୁ ଟାଇମ୍ ପାସ୍ ବୋଲି କହିଥିଲେ । ଯାହା ବିକ୍ରମକୁ ବ୍ୟାଡ ବୟ ହେବାକୁ ବାଧ୍ୟ କରିଥିଲା । ଏ କାହାଣୀ କେବଳ ଜଣେ ବିକ୍ରମ ପଣ୍ଡାର ନୁହେଁ ବରଂ ପ୍ରେମ କରୁଥିବା ଲକ୍ଷ ଲକ୍ଷ ନୀରିହ ପୁଅଙ୍କର । ସରକାର ସରକାରୀ ଚାକିରି ଦେଉନାହାଁନ୍ତି ଏଥିରେ ପୁଅଙ୍କର ଭୁଲ୍ କଣ । ଓଡିଶାରେ ସରକାରୀ ଚାକିରୀ ପାଇଁ ନୋଟିଫିକେସନ ବାହାରିବାର ୫ ବର୍ଷ ପରେ ବି ପରୀକ୍ଷା ହୋଇପାରୁନାହିଁ ଏଥିରେ ପୁଅଙ୍କର ଭୁଲ୍ କଣ । ପାଠପଢା ଶେଷ ହେଉ ହେଉ କାନ୍ଧରେ ପରିବାରର ବୋଝ ବୋହି ବାକୁ ପଡୁଛି ତଥାପି ସରକାରୀ ଚାକିରି ମିଳୁନି ଏଥିରେ ପୁଅଙ୍କର ଭୁଲ୍ କଣ । ବ୍ୟବସାୟରେ ଭଲ ଲାଭ ବୋଲି ବ୍ୟବସାୟ କରିବାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ହେଲେ ପ୍ରେମିକାର ବାପାଙ୍କୁ ଦରକାର ସରକାରୀ ଚାକିରିଆ ଜ୍ୱାଇଁ ଏଥିରେ ପୁଅଙ୍କର ଭୁଲ୍ କଣ ।

ଏବେ ପ୍ରଶ୍ନ ଉଠିଛି ସରକାରୀ ଚାକିରୀ କରିନଥିବା ଯୁବକ କଣ ପ୍ରେମ କରିବା ଭୁଲ୍ ?ବେସରକାରୀ ସରକାରୀ ଚାକିରୀଆ ଯୁବକଙ୍କୁ କଣ ବାହା ହେବେନି ଝିଅ? ସମସ୍ତେ ଯଦି ସରକାରୀ ଚାକିରୀ କରିବେ ତେବେ ଅନ୍ୟ ଧନ୍ଧା ରହିବ ତ ? ଆଉ ସବୁ ଝିଅଙ୍କ ବାପାଙ୍କୁ ଯଦି ସରକାରୀ ଚାକିରୀଆ ଜ୍ୱାଇଁ ଦରକାର ତେବେ ସମାଜର ଗତି କୁଆଡେ ?ବେସରକାରୀ ଚାକିରୀ କରୁଥିବା, ବ୍ୟବସାୟ କରୁଥିବା ,ଚାଷ କରୁଥିବା ପୁଅ ତା ସ୍ତ୍ରୀକୁ ସରକାରୀ ଚାକିରିଆ ଭଳି ଖୁସି ଦେଇ ପାରିବନି ? ଆଉ ସବୁଠୁ ବଡ କଥା ହେଲା ୧୦ ହଜାର ଟଙ୍କା ତଳକୁ ଦରମା ପାଇ ଚୁକ୍ତି ଭିତିକ ସରକାରୀ ଚାକିରୀ କରିବା ଭଲ ନା ଭଲ ଦି ପଇସା ରୋଜଗାର କରି ଖୁସିରେ ରହିବା ପାଇଁ ଅଲଗା କାମ କରିବା ଭଲ । ଯଦି ସବୁ ପ୍ରେମିକାଙ୍କ ବାପା ମାନେ ନିଜ ଝିଅର ମନ ଓ ତାକୁ ଭଲ ପାଉଥିବା ପ୍ରେମିକର ମନକୁ ବୁଝିପାରନ୍ତେ ତେବେ ବିକ୍ରମ ପଣ୍ଡା ଭଳି ଯୁବକ ମାନଙ୍କୁ ବନ୍ଧୁକ ମୁନରେ ନିଜ ପ୍ରେମର ମୂଲ ମାଗିବାକୁ କାହାକୁ ବନ୍ଧକ ରଖିବାକୁ ପଡନ୍ତାନି ।