ବୋରିଗୁମ୍ମା ପାଇଁ ଗର୍ବର ମୁହୂର୍ତ୍ତ। ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ପ୍ରତିଯୋଗିତାରେ ଚମକିଲେ ବୋରିଗୁମ୍ମାର ଝିଅ ଏନ୍. ତ୍ରିଶା ତନ୍ୟା। ଦେଶର ୨୪ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ରନର୍ସ-ଅପ୍ ମୁକୁଟ ସହ ଦୁଇଟି ସ୍ୱତନ୍ତ୍ର ଟାଇଟଲ୍ ହାସଲ କରି ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ। ଦେଖନ୍ତୁ ଏହି ରିପୋର୍ଟ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ସ୍ତରୀୟ “ନେକ୍ସ୍ଟ ଜେନ୍ ଆଇକୋନିକ୍ ମିସ୍ ଇଣ୍ଡିଆ–୨୦୨୬”। ନୃତ୍ୟ, ର୍ୟାମ୍ପ ୱାକ୍, ଟ୍ୟାଲେଣ୍ଟ ରାଉଣ୍ଡ, ପ୍ରଶ୍ନୋତ୍ତର ଓ ନ୍ୟାସନାଲ୍ କଷ୍ଟ୍ୟୁମ୍ ଭଳି ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ଜୟପୁର, ପୁନେ ଓ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା। ତିନି ଦିନିଆ ଗ୍ରାଣ୍ଡ ଫିନାଲେରେ ଦେଶର ବିଭିନ୍ନ ସହରରୁ ଆସିଥିବା ପ୍ରତିଯୋଗୀମାନେ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ବୋରିଗୁମ୍ମାର ଏନ୍. ତ୍ରିଶା ତନ୍ୟା ୨୪ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ରନର୍ସ-ଅପ୍ ମୁକୁଟ ଜିତିବା ସହ “ମିସ୍ ଏକ୍ସଟ୍ରାଅର୍ଡିନେରୀ” ଓ “ବେଷ୍ଟ ଟ୍ୟାଲେଣ୍ଟ” ସମ୍ମାନ ହାସଲ କରିଛନ୍ତି। ତାଙ୍କ ଏହି ସଫଳତା ବୋରିଗୁମ୍ମା ଓ କୋରାପୁଟ ଜିଲ୍ଲା ପାଇଁ ଗର୍ବର ବିଷୟ ପାଲଟିଛି। ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବଂ ସିନେ ପ୍ରଯୋଜିକା ଏକତା କପୁରଙ୍କ ହସ୍ତରୁ ତ୍ରିଶା ତନ୍ୟା ମୁକୁଟ, ଟ୍ରଫି ଓ ଟାଇଟଲ୍ ଗ୍ରହଣ କରିଥିଲେ। ସୌମ୍ୟା ସାହୁ ଓ ତାଙ୍କ ଟିମ୍ “ସାମ୍ ରେନାଇସାନ୍” ପକ୍ଷରୁ ଏହି ଜାତୀୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।ଶିକ୍ଷକ ଏନ୍. ରାଜେଶ କୁମାର ଓ ଜି. ଗାୟତ୍ରୀଙ୍କ ବଡ଼ ଝିଅ ହେଉଛନ୍ତି ଏନ୍. ତ୍ରିଶା ତନ୍ୟା। ସେ ଜଣେ ଲେଖିକା ହେବା ସହ ଇଂରାଜୀ ଭାଷାର ସ୍ନାତକୋତ୍ତର ଛାତ୍ରୀ। ତାଙ୍କ ଏହି ସଫଳତା ବୋରିଗୁମ୍ମାର ପେଜେଣ୍ଟ ଓ ମଡେଲିଂ କ୍ଷେତ୍ରକୁ ନୂଆ ପରିଚୟ ଦେଇଛି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
