Odia News Portal

କାଣୀ ନଦୀରେ ଘାଇ, ପାଣି ଘେରରେ ହଜାର ହଜାର ଲୋକେ

ବୈତରଣୀ ନଦୀରେ ଆସିଥିବା ପ୍ରବଳ ବନ୍ୟା ପରେ ଏହାର ଶାଖା ନଦୀ କାଣୀରେ ମଧ୍ୟ ଉଗ୍ର ରୂପ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ତରପଦା ପଞ୍ଚାୟତ ଅନ୍ତର୍ଗତ ଡୋଭାବିଲ ପାଟଣା ନିକଟରେ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ବନ୍ୟା ପାଣି ଚାରିଆଡ଼େ ମାଡ଼ିଯାଇଛି।ଏହାର ପ୍ରଭାବରେ ମଲିକାପୁର, ତରପଦା, କସ୍ପା, ଛଚିଣା, କନିକାପଡା, ମଙ୍ଗଳପୁର, କୟାଁ, କମାରଡିହ, ଜୟନ୍ତରା ଏବଂ କଟିକଟା ସମେତ ଅନେକ ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କିଛି ବୁଝିବା ପୂର୍ବରୁ ହଠାତ୍ ବନ୍ୟା ପାଣି ଘରେ ପଶିଯାଇଥିଲା। ଫଳରେ ଅନେକ ପରିବାର ଗତକାଲିଠାରୁ ଖାଇବା ଓ ପିଇବା ପାଣି ବିନା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି। ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ରିଲିଫ୍ ଟିମ୍ ପହଞ୍ଚିନଥିବା ସହ କୌଣସି ଖାଦ୍ୟ ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଅହିୟାସ ବଜାର ଉପରେ ପ୍ରାୟ ଚାରି ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେବାରୁ ବଜାରର ପ୍ରାୟ ସମସ୍ତ ଦୋକାନରେ ପାଣି ପଶି ବ୍ୟାପକ କ୍ଷତି ଘଟିଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଆକଳନ କରାଯାଉଛି।

ବନ୍ୟାର ପ୍ରକୋପ ମଧ୍ୟରେ କିଛି ଲୋକ ଘରର ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ଆଉ କିଛି ପରିବାର ବନ୍ଧ ଉପରେ ବିପଦପୂର୍ଣ୍ଣ ପରିସ୍ଥିତିରେ ରହିଛନ୍ତି। ପ୍ରଭାବିତ ଅଞ୍ଚଳକୁ ତୁରନ୍ତ ଉଦ୍ଧାର ଓ ରିଲିଫ୍ ସହାୟତା ପହଞ୍ଚାଇବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।