Odia News Portal

ହନୁମାନ ଜୟନ୍ତୀରେ ଜୟ ଶ୍ରୀରାମ ନାରାରେ କମ୍ପିବ ରାଜଧାନୀ, ୧୮ ପ୍ଲାଟୁନ ଫୋର୍ସ ନିୟୋଜିତ

ରାଜଧାନୀରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳନ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ସାରା ସହର ଉତ୍ସବ ମୁଖର ହୋଇଉଠିଛି। ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା, ବାଇକ ଶୋଭାଯାତ୍ରା ଓ ପଦଯାତ୍ରା ଆୟୋଜନ କରାଯିବ। ଏପରିକି ବିଭିନ୍ନ ସ୍ଥାନରେ ଜନ ସମାଗମ ହେବା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏହି ସମୟରେ କୌଣସି ପ୍ରକାର ଆଇନଶୃଙ୍ଖଳା ଯେଭଳି ନଘଟିବ ସେଥିପ୍ରତି କମିଶନରେଟ୍ ପୋଲିସ ସଜାଗ ହୋଇଛି।ପୁରା ସହରକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସୁରକ୍ଷା ପାଇଁ ୧୮ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିବା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଏହା ବ୍ୟତୀତ ୪ ଜଣ ଅତିରିକ୍ତ ଡିସିପି, ୫ ଜଣ ଏସିପି, ୯ ଜଣ ଇନ୍ସପେକ୍ଟର, ୫୩ ଜଣ ଏସଆଇ ଓ ଏଏସଆଇ ଓ ୩୦ ଜଣ ମହିଳା କନଷ୍ଟେବଳ ମଧ୍ୟ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ଡିସିପି ମୀନା କହିଛନ୍ତି, ‘‘ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଇଁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଟ୍ରାଫିକ ପାର୍କିଂ ପରିଚାଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାରା ସହରକୁ ସିସିଟିଭି ନଜରରେ ରଖାଯାଇଛି। ରାମ ମନ୍ଦିରରେ ମଧ୍ୟ କଡାକଡି ବ୍ୟବସ୍ଥା କରାଯାଇଛି। କୌଣସି ଅପ୍ରୀତିକର ଘଟଣା ଯେଭଳି ନ ଘଟିବ ସେଥିପ୍ରତି ସଚେତନ ଅଛୁ। ଥାନା ଅଧିକାରୀମାନଙ୍କୁ ମଧ୍ୟ ଏହି ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପ୍ରତି ପୋଲିସ ପୁରା ସତର୍କ ଅଛି’’।ଅନ୍ୟପକ୍ଷରେ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୧୨ ଅନୁଷ୍ଠାନକୁ ଶୋଭାଯାତ୍ରା, ବାଇକ ଶୋଭାଯାତ୍ରା ଓ ପଦଯାତ୍ରା ପାଇଁ ଅନୁମତି ଦିଆଯାଇଥିବା କମିଶନରେଟ୍ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ନିୟମାବଳୀ ଜାରି କରାଯାଇଛି। ବିଭିନ୍ନ ହନୁମାନ ମନ୍ଦିର, କ୍ଳବ୍ ଓ ଟ୍ରଷ୍ଟ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ହେବ। ଶୋଭାଯାତ୍ରା ହେବାକୁ ଥିବା ରାସ୍ତାରେ ଟ୍ରାଫିକ୍ ଜାମ୍ ହେବ। ଏହି ରୁଟରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି।ଜଟଣୀ ମା ଭଗବତୀ ପୂଜା କମିଟି, ବାଲିପାଟଣା ମା ମଙ୍ଗଳା କମିଟି, ରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ବାଲିଅନ୍ତା ମା’ ମଙ୍ଗଳା ଝାମୁ ଯାତ୍ରା, ମୁଲାଣିବାସୀ ଷ୍ଟୁଡେଣ୍ଟ ଓ ୟୁଥ୍ ଫ୍ରଣ୍ଟ, ବାଲିଅନ୍ତା ମଙ୍ଗଳା ଝାମୁ ପଟୁଆ ଯାତ୍ରା କମିଟି, ଜଟଣୀ ବଜରଙ୍ଗୀ ସେବା ସଙ୍ଘ, ବାଲିପାଟଣା ମା ମଙ୍ଗଳା ଝାମୁଯାତ୍ରା ହନୁମାନ କମିଟି, ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଙ୍ଘ, ହିନ୍ଦୁ ଏକତା ମଞ୍ଚ, ଭୁବନେଶ୍ୱର ଯୁବ ମଞ୍ଚ ଓ ସମ୍ରାଟ ଭାରତ ଯୁବ ଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ୍ ପକ୍ଷରୁ ଶୋଭାଯାତ୍ରା, ବାଇକ ଶୋଭାଯାତ୍ରା ଓ ପଦଯାତ୍ରା ପାଇଁ ଅନୁମତି ନିଆଯାଇଛି। ଭିଡ ସୃଷ୍ଟି ହେଉଥିବା ରାସ୍ତା ନଯିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।