କାର୍ଗିଲି ବିଜୟ ଦିବସରେ, ସମଗ୍ର ଦେଶ ଭାରତୀୟ ସେନାର ସୈନିକଙ୍କ ବୀରତ୍ୱ ଏବଂ ସାହସକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, କାର୍ଗିଲ ବିଜୟ ଦିବସ କେବଳ ଏକ ବିଜୟର ସ୍ମୃତି ନୁହେଁ, ଏହା ଭାରତୀୟ ସେନାର ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ ଓ ମାତୃଭୂମି ପ୍ରତି ସର୍ବୋଚ୍ଚ ସମର୍ପଣର ପ୍ରତୀକ । ଏହି ଗୌରବମୟ ଅବସରରେ କାର୍ଗିଲ ଯୁଦ୍ଧର ସମସ୍ତ ବୀର ସହିଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଓ ସାହସୀ ବୀର ଯବାନମାନଙ୍କୁ ଶତ ଶତ ନମନ ।
ଏଣେ ରବିବାର ୨୭ତମ କାର୍ଗିଲ ବିଜୟ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୀର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କାର୍ଗିଲ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, କାର୍ଗିଲ ବିଜୟ ଦିବସ ଅବସରରେ, ମୁଁ ମାତୃଭୂମିକୁ ରକ୍ଷା କରିବା ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ବୀର ଯୋଦ୍ଧାମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କର ଅତୁଳନୀୟ ବୀରତ୍ୱ, ଅଟଳ ସଂକଳ୍ପ ଏବଂ ଅତୁଳନୀୟ ଦେଶପ୍ରେମ ଆମ ସେନାର ଗୌରବମୟ ପରମ୍ପରାର ଅନୁକରଣୀୟ ଉଦାହରଣ। ଦେଶ ସର୍ବଦା ସେମାନଙ୍କ ନିକଟରେ ଋଣୀ ରହିବ। ସେହି ସାହସୀ ଯୋଦ୍ଧାମାନଙ୍କ ବୀରତ୍ୱର ଗାଥା ନୂଆ ପିଢ଼ିଙ୍କୁ ଜାତୀୟ ସେବା ଏବଂ କର୍ତ୍ତବ୍ୟ ନିଷ୍ଠାର ପଥ ଅନୁସରଣ କରିବାକୁ ପ୍ରେରଣା ଦେଇ ଚାଲିବ।
