Odia News Portal

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ |ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି |ପବିତ୍ର ବିନ୍ଦୁସାଗର ପୁଷ୍କରିଣୀ ଜଳକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ |ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ|ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ,ମନ୍ତ୍ରୀ ଅଶୋକ ପଣ୍ଡା ,ଭୁଵନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଆଦି ସାମିଲ ଥିଲେ |

ବର୍ତ୍ତମାନ ଏକାମ୍ର କ୍ଷେତ୍ରର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଛି । ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ।ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଲାଗି ଆଇଓସିଏଲ ପକ୍ଷରୁ ୭୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି | ଆଇସିଟି, ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ହେବ ସଫେଇ | ତେବେ ବିନ୍ଦୁ ସାଗର ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଥିଲେ । ବିନ୍ଦୁସାଗରର ସ୍ୱଚ୍ଛତା ଆମ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିନ୍ଦୁସାଗର ଆମ ଆଶା,ବିଶ୍ୱାସର ପ୍ରମୁଖ ତୀର୍ଥକ୍ଷେତ୍ର । ମହାପ୍ରଭୁଙ୍କ ନୀତିକାନ୍ତି ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ରହିଛି ବିନ୍ଦୁସାଗର |ଏସବୁ ପାଇଁ ଜାତୀୟ ସଂହତିର ପ୍ରତୀକ ହୋଇଛି ବିନ୍ଦୁସାଗର |ସମସ୍ତଙ୍କ ସହଯୋଗରେ ବିନ୍ଦୁସାଗର ସ୍ୱଚ୍ଛ ହୋଇପାରିବ |ଏକାମ୍ର କ୍ଷେତ୍ରରେ ଅନେକ ଛୋଟ ବଡ଼ ପୁଷ୍କରିଣୀ ରହିଛି |ଏସବୁ ପୁଷ୍କରିଣୀର ସ୍ୱଚ୍ଛତା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ୍ | ବିନ୍ଦୁ ସାଗର ଜଳକୁ ସ୍ୱଚ୍ଛ ରଖିବା ଆମର ନୈତିକ ଦାୟିତ୍ୱ’ ବୋଲି ନବୀନ କହିଛନ୍ତି ।

ବିନ୍ଦୁସାଗର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ବିନା ଶ୍ରୀ ଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ କାମ ଅଧୁରା ରହିବ । ସେଥିପାଇଁ ଏହି କାମକୁ ହାତକୁ ନିଆଯାଉଛି । ଏବେ ନୂଆ ଯୋଜନାରେ ବୈଜ୍ଞାନିକ ପଦ୍ଧତିରେ ବିନ୍ଦୁସାଗର ପୋଖରୀର ଜଳରାଶିକୁ ବିଶୋଧନ କରାଯିବ । ପ୍ରାଚୀନ ପୋଖରୀକୁ ପୁନରୁଦ୍ଧାର କରି ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବାକୁ ଉଦ୍ୟମ କରାଯାଉଛି । ଆଇଓସିଏଲ ଦ୍ୱାରା ପରିଚାଳିତ ଇନଷ୍ଟିଚୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ଭୁବନେଶ୍ୱର ଏବଂ ଓଡିଶା ସେତୁ ନିର୍ମାଣ ନିଗମ ଏହି କାମ ହାତକୁ ନେଇଛି । ପ୍ରଥମେ ଏହି ପ୍ରକଳ୍ପରେ ବିନ୍ଦୁସାଗର ସଫେଇ କାମ କରାଯିବ । ପରେ ଏହାର ସୌନ୍ଦର୍ଯ୍ୟକରଣ କାମ କରାଯିବ ।