Odia News Portal

ବିଜେଡି ସପକ୍ଷରେ ଅନୁକମ୍ପା ଭୋଟ

ପିପିଲିରେ ରିପିଟ୍

ଭୁବନେଶ୍ୱର : ପିପିଲ ଆସନ ପାଇଁ ବିଜେଡି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରଙ୍କ ନାମ ଘୋଷଣା ପରେ ପୁଣିଥରେ ଅନୁକମ୍ପା ଭୋଟ ଚର୍ଚ୍ଚା ଜୋର ଧରିଛି । ତେବେ ପୂର୍ବରୁ ବହୁ ନିର୍ବାଚନରେ ଅନୁକମ୍ପା ଭୋଟ ବିଜେଡି ସପକ୍ଷରେ ଯାଇଥିବାରୁ ପିପିଲିରେ ମଧ୍ୟ ତାହାର ପୁନରାବୃତ୍ତି ହେବ ବୋଲି ଦଳୀୟ ନେତା ଓ କର୍ମୀମାନେ ଆଶା ବାନ୍ଧିଛନ୍ତି ।

ନିକଟରେ ଶେଷ ହୋଇଥିବା ତିର୍ତ୍ତୋଲ ଉପନିର୍ବାଚନରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବହୁ ଭୋଟରେ ବିଜୟୀ ହୋଇଥିଲେ । ଏପରିକି ନିଜ ପିତାଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଥିଲେ । ତାଙ୍କ ସପକ୍ଷରେ ଅନୁକମ୍ପାର ଭୋଟ ଅଜାଡିହୋଇ ପଡିଥିଲା । ଏହା ପୂର୍ବରୁ ପାଟକୁରା ଉପନିର୍ବାଚନରେ ବି ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ବିପୁଳ ଅନୁକମ୍ପା ଭୋଟ ପାଇ ଜିଣିଥିଲେ ।

କେବଳ ଉପକୂଳ ନୁହେଁ ପଶ୍ଚିମ ଓଡିଶାରେ ମଧ୍ୟ ଅନୁକମ୍ପା ଭୋଟ ବିଜେଡି ସପକ୍ଷରେ ଯାଇଛି । ବିଜେପି ଆସନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିକୁ ଆସି ଅନୁକମ୍ପା ଭୋଟ ହାତେଇ ଥିଲେ । ସେହିଭଳି ବର୍ତ୍ତମାନ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ଟୁକୁନି ସାହୁ ବି ଟିଟିଲାଗଡ ଆସନରୁ ଅନୁକମ୍ପା ଭୋଟ ପାଇଥିଲେ । ଯଦିଓ ତାଙ୍କ ସ୍ୱାମୀ ବିଧାୟକ ନଥିଲେ କିନ୍ତୁ ବିଜୁ ବିଜେଡିର ଜଣେ ଛାମୁଆ ନେତା ଥିଲେ । ଆତତାୟୀମାନେ ତାଙ୍କୁ ଗୁଳି କରି ହତ୍ୟା କରିବାପରେ ବିଜେଡି ଟୁକୁନିଙ୍କୁ ପ୍ରାର୍ଥୀ କରିଥିଲା ।

ନୟାଗଡ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ମଧ୍ୟ ନିଜ ସ୍ୱାମୀ ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ଅନୁକମ୍ପା ଭୋଟ ପାଇ ଷୋଡଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହେମେନ୍ଦ୍ର ମଧ୍ୟ ବିଜେଡି ସାଂସଦ ଥିଲେ । ତେବେ ପ୍ରତ୍ୟୁଷା ଏବେ ବିଜେପିରେ ଅଛନ୍ତିା ଓଡିଶା ବିଧାନସଭାରେ ଏବେ ଆସ୍କାର ବିଧାୟିକା ଥିବା ମଞ୍ଜୁଳା ସ୍ୱାଇଁଙ୍କ ସପକ୍ଷରେ ବି ଅନୁକମ୍ପା ଭୋଟ ଯାଇଛି । ପୂର୍ବତନ ବିଜେଡି ସାଂସଦ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କର ସେ ହେଉଛନ୍ତି ଧର୍ମପତ୍ନୀ ।

ଉପନିର୍ବାଚନ ବ୍ୟତିତ ନିଜ ପିତାମାନଙ୍କ ଅନୁକମ୍ପା ଭୋଟରେ ବିଧାନସଭାକୁ ଆସିଥିବା ସଦସ୍ୟଙ୍କ ତାଲିକା ବି ବେଶ୍‌ ଲମ୍ବା । ବିଷ୍ଣୁବ୍ରତ ରାଉତରାୟ, ପ୍ରଣବ ବଳବନ୍ତରାୟ, ସୌଭିକ ବିଶ୍ୱାଳ, ଦେବୀ ରଞ୍ଜନ ତ୍ରିପାଠୀ, ପ୍ରୀତି ରଞ୍ଜନ ଘଡାଇ, ସମ୍ବିତ ରାଉତରାୟ ଭଳି ଯୁବନେତା ଏମାନଙ୍କ ମଧ୍ୟରେ ଅଛନ୍ତି । ତେଣୁ ମୋଟାମୋଟି ଭାବେ ଅନୁକମ୍ପା ଭୋଟ ହାତେଇବାରେ ବିଜେଡି ସବୁଠାରୁ ଆଗରେ ରହିଛି । ଏଭଳି ଧାରା ଜାରି ରହିଥିବାବେଳେ ଏବେ ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପଙ୍କ ସପକ୍ଷରେ ନିଶ୍ଚିତ ଭାବେ ଅନୁକମ୍ପା ଭୋଟ ଯିବ ବୋଲି ବିଜେଡି ନେତା ଓ କର୍ମୀମାନେ ଆଶାବାନ୍ଧି ବସିଛନ୍ତି । ଅନୁକମ୍ପା ସହିତ ନବୀନଙ୍କ ଲୋକପ୍ରିୟତା ପିପିଲିରେ ବିଜେଡି ବିଜୟକୁ ସୁଗମ କରିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି ।