Odia News Portal

ବାହାଘର ପ୍ରୋସେସନ୍ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରୋସେସନ୍ ନିମନ୍ତେ ରାଜ୍ୟ ସରକାର ତରଫରୁ ମିଳିଲା ଅନୁମତି | ଏଣିକି ବର ଯିବାବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ । ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଏବଂ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ। କରୋନା କାରଣରୁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି।

ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ଵତନ୍ତ୍ର ରିଲିଫ କମିସନରଙ୍କର ବିଜ୍ଞପ୍ତିରେ କୁହାଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏନେଇ ସମସ୍ତ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲ କମିଶନର ଓ ପୁଲିସ କମିଶନରଙ୍କୁ ଚିଠି ଲେଖି ବିବାହ ଓ ଅନ୍ତେଷ୍ଟି ଶୋଭାଯାତ୍ରା ପାଇଁ ସାନି ଗାଇଡଲାଇନ୍ ଜାରି କରିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ଶୋଭାଯାତ୍ରା ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ଜୁଲାଇ ୬ତାରିଖରେ ବିବାହ ଶୋଭାଯାତ୍ରା ଉପରେ କଟକଣା ଜାରି କରିଥିଲେ। ମାତ୍ର ଡିସେମ୍ବର ୩୦ତାରିଖରେ ଜାରି ନିର୍ଦ୍ଦେଶନାମାରେ ବିବାହ ଉତ୍ସବରେ ସର୍ବାଧିକ ୨୦୦ଲୋକଙ୍କ ସମାବେଶ ହୋଇପାରିବ ବୋଲି ଅନୁମତି ଦେଇଥିଲେ।