Odia News Portal

ରାଜଧାନୀର ୬ଟି ହସ୍ପିଟାଲରେ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ପହଞ୍ଚିଛି ଦୁଇଟି ଟୀକା । ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ପହଞ୍ଚିସାରିଛି । କୋଭିସିଲ୍ଡ ୪ ଲକ୍ଷ ୮ ହଜାର ଡୋଜ୍ ଏବଂ କୋଭାକ୍ସିନ୍ ର ୨୦ ହଜାର ଡୋଜ୍ ରାଜ୍ୟକୁ ଆସିଛି ।ତେବେ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ମୋଟ୍ ୩୨ଟି କେନ୍ଦ୍ରକୁ ପଠାଯାଇଛି ଟିକା । ରାଜ୍ୟରେ ମୋଟ୍ ୧୬୦ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଛି ।ତେବେ ରାଜଧାନୀ ବ୍ୟତୀତ ଅନ୍ୟ ସବୁଠି କୋଭିସିଲ୍ଡ ଟିକା ପ୍ରଦାନ କରାଯିବ । ଭୁବନେଶ୍ୱରରେ କେବଳ କୋଭାକ୍ସିନ୍ ଟିକା ପ୍ରଦାନ କରାଯିବ ।ରାଜଧାନୀ ଭୁବନେଶ୍ୱରରେ ପୂର୍ବରୁ ୫ଟି ଟିକାକରଣ କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲକୁ ମଧ୍ୟ ଟିକାକରଣ ନିମନ୍ତେ ସାମିଲ କରାଯାଇଛି | ଗତକାଲି ରାଜଧାନୀର ୬ଟି କେନ୍ଦ୍ରରେ ଟିକାକରଣ ହେବ |

ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪ ହସ୍ପିଟାଲ, ବିଏମସି ହସ୍ପିଟାଲ, କିମ୍ସ, ସମ୍ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲରେ ଟିକାକରଣ କରାଯିବ । କାଲି ଲଞ୍ଚିଂ ଦିନରେ ପ୍ରତି ଟିକାକରଣ କେନ୍ଦ୍ରରେ ୧୦୦ ଲେଖାଏଁ ମୋଟ୍ ୬୦୦ ଲୋକଙ୍କୁ ଟିକାକରଣ କରାଯିବ । ବିଏମସି ପ୍ରଥମ ପର୍ଯ୍ୟାୟ ପାଇଁ ଯେତିକି ଟିକା ପାଇଛି ସେଥିରେ ମୋଟ୍ ଭୁବନେଶ୍ୱରର ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରର ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଞ୍ଜୀକୃତ କରାଯାଇଛି । ୯ ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାଦାନ କରାଯିବ । ପୁଣି ୨୮ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ୫ ହଜାର ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟ ସରକାରଙ୍କ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି ।