Odia News Portal

ଭଦ୍ରକରେ ଟିକାକରଣର ମହା ଅଭିଯାନ

ଭଦ୍ରକ: ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହା ଅଭିଯାନ | ଶେଷ ଲଢେଇ ସଦୃଶ ଆଜିଠୁ ଦେଶ ସମେତ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଟିକାକରଣ| ଜିଲ୍ଲାରେ ପ୍ରଥମ ପର୍ଯାୟରେ ୮,୫୬୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଟିକାକରଣ ପାଇଁ ୪୪ଟି ସେକ୍ସନ ସାଇଟ କରାଯାଇଛି | ତେବେ ଆଜି ପ୍ରଥମ ଦିନରେ ଜିଲ୍ଲାର ତିନୋଟି ସ୍ଥାନ କୁଆଁସ ସ୍ଥିତ ପିପିସି, ବରପଦା ପିଏଚସି ଓ ବାସୁଦେବପୁର ପିଏଚସିରେ ଏହି ଟିକାକରଣ କରାଯାଉଛି |

ଭଦ୍ରକ ଜ଼ିଲ୍ଲାପାଳ ଜ୍ଞାନ ଦାସ ଆଜି କୁଆଁସ ସ୍ଥିତ ଟିକାକରଣ କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ | ଆଜି ପ୍ରଥମ ଦିନରେ ତିନୋଟି କେନ୍ଦ୍ରରେ ସ୍ଵାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଛି | ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି | ତିନୋଟି ଟିକାକରଣ ସ୍ଥାନରେ ୩ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଟିକାକରଣକୁ ତଦାରଖ କରୁଛନ୍ତି |