Odia News Portal

ନଦୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ

ଯୋଡ଼ା : ନଦୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା, ଯୋଡ଼ା ଥାନା ଅନ୍ତର୍ଗତ ବାସୁଦେବପୁର, ବୈତରଣୀ ନଦୀରୁ ଏକ ଅଖାରେ ଭର୍ତ୍ତି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି, ଚମ୍ପୁଆ ଥାନା ଧୋବାକୁଚୁଡା ଗାଁର ୭୨ ବର୍ଷୀୟା ବୃଦ୍ଧା ମଲ୍ଲୀ ନାଏକ । ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ଖବର ପାଇବା ପରେ ଯୋଡ଼ା ପୋଲିସ୍, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର ସହାୟତାରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଅନୁସାରେ, ମଲ୍ଲୀ ସମ୍ପର୍କୀୟ ନାତି ରାଜନ ନାଏକ ଓ ନାତୁଣୀ ବୋହୂ ଭାରତୀ ନାଏକଙ୍କ ସହ ଶଙ୍କରପୁର ସ୍ଥିତ ଏକ ଭଡ଼ା ଘରେ ରହିଆସୁଥିଲେ । ତେବେ ଗତ ମଙ୍ଗଳବାର ଠାରୁ ମଲ୍ଲୀଙ୍କୁ ଗ୍ରାମର କେହି ଲୋକ ଦେଖିବାକୁ ପାଇନଥିଲେ। ଏହା ଜାଣିବା ପରେ ତାଙ୍କ ପୁତୁରା ଶଙ୍କରପୁର ଆସି ପିଉସୀଙ୍କୁ ଖୋଜିଥିଲେ । ତାଙ୍କ ନାତି ରାଜନକୁ ପଚରା ଉଚୁରା ପରେ, ମୃତଦେହକୁ ସେ ନଦୀରେ ଫିଙ୍ଗି ଦେଇଥିବା କହିଥିଲେ ବୋଲି ପୁତୁରା ଦିଲୀପ ସୂଚନା ଦେଇଛନ୍ତି । ତେବେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଯୋଡ଼ା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।
ସମ୍ପର୍କୀୟ ନାତି ରାଜନ ନାଏକ ଓ ନାତୁଣୀ ବୋହୂ ଭାରତୀ ନାଏକକୁ ପଚାର ଉଚୁରା କରୁଛି ପୋଲିସ୍ ।