Odia News Portal

ସାଙ୍ଗ ସାଜିଲେ ସଇତାନ, ଧରାପଡ଼ିଲା ହତ୍ୟାକାରୀଙ୍କ ଫିଲ୍ମ ଷ୍ଟାଇଲ୍ ମିଛ କାହାଣୀ

ଦୀପାବଳି ଆଗରୁ ଅଶାନ୍ତ ହେଲା ରାଜଧାନୀ । ପୁଣି ଜଣେ ଯୁବକଙ୍କର ଗଲା ଜୀବନ। ସାଙ୍ଗକୁ ଗୁଳି କରି ହତ୍ୟା କଲେ, ଆଉ ପୋଲିସ ଆଖିରେ ଧୂଳି ଦେବାକୁ ରଚିଲେ ଫିଲ୍ମ ଷ୍ଟାଇଲ୍ କାହାଣୀ। ହେଲେ ପୋଲିସର ତଦନ୍ତ ଆଗରେ ତିଷ୍ଠି ପାରିଲାନି ମିଛ। ଶେଷରେ ଗଙ୍ଗୁଆ ନାଳରୁ ମିଳିଲା ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ । ଶିଶୁପାଳଗଡରେ ଯୁବକଙ୍କୁ ଗୁଳି ମାରି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୮ ଅଭିଯୁକ୍ତ ଗିରଫ କରିଛି ପୋଲିସ୍। ସତ ଓଗାଳି ଛନ୍ତି ହତ୍ୟାକାରୀ ସୈତାନ୍ ସାଙ୍ଗ। ନଭେମ୍ବର ୪ ତାରିଖ, ରାତି ପ୍ରାୟ ସାଢ଼େ ୧୧ଟା। ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ନବଜ୍ୟୋତି କଲେଜ ପଛପଟେ ଥିବା ମା’ ଦକ୍ଷିଣକାଳୀ କନ୍‌ଷ୍ଟ୍ରକ୍ସନ୍ ଅଫିସ୍ କ୍ୟାମ୍ପସ୍‌ରେ ଚାଲିଥିଲା ମଦ ଆସର। ପାଖାପାଖି ୭ ଜଣ ସାଙ୍ଗ ଏକାଠି ବସି ପିଉଥିଲେ। ହଠାତ୍ କୌଣସି କଥାକୁ ନେଇ ବଚସା ହୁଏ ଆଉ ସେମାନଙ୍କ ଭିତରୁ ଜଣେ ବନ୍ଧୁକ ବାହାର କରି ତାପୁ ନାୟକ ନାମକ ଜଣେ ଯୁବକଙ୍କ ଉପରକୁ ଗୁଳି ଚଳାଇଦିଏ। ତାପୁଙ୍କ ଘର କଟକରେ ହୋଇଥିବା ବେଳେ ସେ ଭରତପୁର ସୀତାରାମ ବସ୍ତିରେ ରହୁଥିଲେ।

ଗୁଳି ବାଜିବା ପରେ ନିଜ ଦୋଷ ଲୁଚାଇବାକୁ ଆରମ୍ଭ ହୁଏ ଡ୍ରାମା। ଦୁଇ ଜଣ ଅଭିଯୁକ୍ତ ରକ୍ତାକ୍ତ ଅବସ୍ଥାରେ ତାପୁଙ୍କୁ ଆଣି କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପହଞ୍ଚନ୍ତି। ସେଠାରୁ ତାଙ୍କୁ ଆପୋଲୋ ହସ୍ପିଟାଲ୍ ରେଫର୍ କରାଯାଏ, ହେଲେ ସେଠାରେ ଡାକ୍ତର ତାପୁଙ୍କୁ ମୃତ ଘୋଷଣା କରନ୍ତି। ପୋଲିସକୁ ଚକମା ଦେବାକୁ ଅଭିଯୁକ୍ତମାନେ ଏକ ମିଛ କାହାଣୀ ରଚନ୍ତି। କହନ୍ତି- “ମାଉସୀ ମା’ ଓଭରବ୍ରିଜ୍ ଉପରେ ଆମେ ଛିଡ଼ା ହୋଇଥିଲୁ, ହଠାତ୍ ବାଇକ୍‌ରେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଆସି ତାପୁଙ୍କୁ ଗୁଳି କରି ଫେରାର୍ ହୋଇଗଲେ।”

ହେଲେ କମିଶନରେଟ୍ ପୋଲିସର ତଦନ୍ତ ବେଳେ ଧରାପଡ଼ିଯାଏ ଏହି ନକଲି କାହାଣୀର ସତ। ଜେରା ବେଳେ ଅଭିଯୁକ୍ତମାନେ ମିଛ କହୁଥିବା ପୋଲିସ ଜାଣିବାକୁ ପାଏ। ଖୋଳତାଡ଼ ପରେ ଜଣାପଡ଼େ ଯେ ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟା ପରେ ପିସ୍ତଲଟିକୁ ଶିଶୁପାଳଗଡ଼ ନିକଟ ଗଙ୍ଗୁଆ ନାଳରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ। ସକାଳୁ ଅଗ୍ନିଶମ ବାହିନୀ ଟିମ୍ ସାହାଯ୍ୟରେ ଖୋଜାଖୋଜି ପରେ ଗଙ୍ଗୁଆ ନାଳରୁ ମାରଣାସ୍ତ୍ର ଜବତ କରାଯାଇଛି।  ଧଉଳି ଥାନା ପୋଲିସ ହତ୍ୟା ଓ ଆର୍ମସ ଆକ୍ଟ ଓ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଉମେଶ, ପିକୁନ୍, ବାବୁଲ୍, ଆଲୋକ, ମାନସ, ଅକ୍ଷୟ, କଳିଙ୍ଗ ଏବଂ ଚିତ୍ରସେନ ନାମକ ୮ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।

ଏପଟେ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ଥାନାରେ ପହଞ୍ଚି ନ୍ୟାୟ ପାଇଁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି ମୃତ ଯୁବକଙ୍କ ବାପା ଓ ମାଆ । ରାଜଧାନୀ ରେ ବଢ଼ିଚାଲିଥିଲା ବେଆଇନ ନିଶା କାରବାର ଓ ବନ୍ଧୁକ କାରବାର ଅପରାଧକୁ ଚରମ ସୀମା ରେ ପହଞ୍ଚାଇବା ସହ ମଦ ନିଶାରେ ସାଙ୍ଗ କିପରି ସାଜୁଛି ସଇତାନ, ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ।