Odia News Portal

ଆମ ଆଦମି ପାର୍ଟିର ନେତ୍ରୀ ଶେଲି ଓବରୟ ହେଲେ ନୂତନ ଦିଲ୍ଲୀ ମେୟର

ଦୀର୍ଘ ୭୫ ଦିନର ଅପେକ୍ଷା ପରେ ଦିଲ୍ଲୀକୁ ଶେଷରେ ନୂଆ ମେୟର ମିଳିଛି। ଆମ୍‌ ଆଦମୀ ପାର୍ଟି ନେତ୍ରୀ ଶେଲି ଓବରୟ ୧୫୦ ଭୋଟ୍‌ରେ ମେୟର ନିର୍ବାଚନ ଜିତିଛନ୍ତି। ବିଜେପିର ରେଖା ଗୁପ୍ତାଙ୍କୁ ସେ ୩୪ ଭୋଟ୍‌ରେ ହରାଇଛନ୍ତି। ମୋଟ୍‌ ୨୬୬ ଭୋଟ୍‌ରୁ ଶେଲିଙ୍କୁ ୧୫୦ ଭୋଟ ମିଳିଥିବା ବେଳେ ରେଖା ଗୁପ୍ତାଙ୍କୁ ୧୧୬ଟି ଭୋଟ ମିଳିଛି। ସେହିପରି ଆପ୍‌ର ଆଲେ ମହମ୍ମଦ ଇକବାଲ ଦିଲ୍ଲୀର ନୂଆ ଉପମେୟର ନିର୍ବାଚିତ ହୋଇଛନ୍ତି। ଇକବଲ ୧୪୭ ଭୋଟ୍‌ରେ ଜିତିଥିବା ବେଳେ ବିଜେପି ପ୍ରାର୍ଥୀ କମଲ ବାଗ୍ରିଙ୍କୁ ୧୧୬ ଭୋଟ୍‌ ମିଳିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶେଲି ଓବରୟଙ୍କ ବିଜୟରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେଜ୍ରିୱାଲ କହିଛନ୍ତି, ଗୁଣ୍ଡାମାନେ ହାରି‌ଲେ ଏବଂ ସାଧାରଣ ଲୋକଙ୍କର ବିଜୟ ହୋଇଛି। ନିର୍ବାଚନ ଜିତିବାପ‌ରେ ଶେଲି କହିଛନ୍ତି, ମୁଁ ନିଶ୍ଚିତ କରା‌ଉଛି ଯେ ମୁଁ ସାମ୍ବିଧାନିକ ଢଙ୍ଗରେ ଗୃହ ପରିଚାଳନା କରିବି। ସମସ୍ତେ ଗୃହର ମର୍ଯ୍ୟାଦା ରକ୍ଷା କରିବାରେ ଏବଂ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାରେ ସହଯୋଗ କରିବେ ବୋଲି ମୁଁ ଆଶା କରୁଛି। ଚତୁର୍ଥ ଉଦ୍ୟମରେ ଆଜି ଦିଲ୍ଲୀ ମେୟର ନିର୍ବାଚନ ସମ୍ପନ୍ନ ହୋଇଛି। ମନୋନୀତ ସଦସ୍ୟଙ୍କୁ ଭୋଟ୍‌ ଦେବାର ଅଧିକାରକୁ ବିରୋଧ କରି ଗୃହରେ ହଟ୍ଟଗୋଳ ହେବାରୁ ପୂର୍ବରୁ ୩ ଥର ମେୟର ନିର୍ବାଚନ ସ୍ଥଗିତ ରହିଥିଲା ଏବଂ ଏହାକୁ ନେଇ ଆପ୍‌ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ୍‌ ଦେଇପାରିବେନି ବୋଲି ସୁପ୍ରିମକୋର୍ଟ ଗତ ଶୁକ୍ରବାର ରାୟ ଦେଇଥିଲେ।