Odia News Portal

ଦିଲ୍ଲୀରେ ଖୋଲିଲା ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଆଜିଠାରୁ ସବୁ ଧାର୍ମିକ ସ୍ଥଳ ଖୋଲିବ । କାଭିଡ୍ ନିୟମ ପାଳନ ପୂର୍ବକ ଭକ୍ତଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଦିଲ୍ଲୀ ସରକାର ଧାର୍ମିକ ସ୍ଥଳରେ ଭକ୍ତଙ୍କ ପ୍ରବେଶ ଉପରେ ଥିବା କଟକଣା କୋହଳ କରିଛନ୍ତି । ତେବେ ଲୋକଙ୍କୁ ଧାର୍ମିକ ସ୍ଥଳରେ ମଧ୍ୟ କରୋନ ନିୟମ ଓ ଗାଇଡ୍ ଲାଇନ୍ସ ପାଳନ କରିବାକୁ ପଡିବ । ଏହାଛଡ଼ା ଅଧିକ ଭିଡ଼ ଯେପରି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ (ଡିଡିଏମ୍ଏ) ଗୁରୁବାର ରାଜଧାନୀର ସର୍ବସାଧାରଣ ସ୍ଥାନରେ ଛଠ୍ ପୂଜା ଉପରେ କଟକଣା ଜାରି କରିଥିଲା ।

ଦେଶରେ ଘାତକ ଦ୍ୱିତୀୟ ଲହରୀ ସମୟରେ ଦେଶର ଅନ୍ୟ ରାଜ୍ୟ ଭଳି ଦିଲ୍ଲୀ ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଥିଲା । ଦିଲ୍ଲୀରେ ସବୁ ଧାର୍ମିକ ସ୍ଥଳରେ ଭକ୍ତଙ୍କ ସମାବେଶ ଉପରେ କଟକଣା ଲଗାଯାଇଥିଲା । ତେବେ କରୋନା ସ୍ଥିତିରେ ଦ୍ରୁତ ସୁଧାର ଆସିଥିବାରୁ ଆଜିଠାରୁ ଜାତୀୟ ରାଜଧାନୀ ନଗରୀରେ ସବୁ ଧାର୍ମିକ ସ୍ଥଳରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ଡିଡିଏମ୍ଏ ତରଫରୁ କୁହାଯାଇଛି ।