Odia News Portal

ସୁସ୍ଥ ଅଛନ୍ତି ଓଡ଼ିଶାର ପ୍ରଥମ ଡେଲଟା ପ୍ଲସ ରୋଗୀ

ଭୁବନେଶ୍ୱର: ଗତକାଲି ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ଥିବା ବେଳେ ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ କରୋନାର ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ ଗଲା ଏପିଡୋମିଓଲୋଜି ଟିମ୍ । ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶି ଥିଲେ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ, ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଡେଲଟା ପ୍ଲସ୍ ଭାରିଆଣ୍ଟରେ ଆକ୍ରାନ୍ତ ପ୍ରଥମ ଓଡ଼ିଆଙ୍କ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୩୦ରେ ଟୀକା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଜଣେ କୋରନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲରେ ସାମ୍ପଲ ଦେଇଥିବା ବେଳେ ଲକ୍ଷଣହୀନ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ୬ ସପ୍ତାହ ସର୍ଭେଲାନ୍ସ ପିରିୟଡରେ ରଖାଯାଇଥିଲା।