Odia News Portal

ଆଜିଠୁ ଆରମ୍ଭ ହୋଇଛି ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ସ୍ଲଟ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଡିଏଲ୍ ଟେଷ୍ଟିଂ । କରୋନା ପରିସ୍ଥିତିରେ ସୁଧାର ଆସିବା ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେବଳ ‘ବି’କାଟେଗୋରୀ ଜିଲ୍ଲାରେ (ପୁରୀ ବ୍ୟତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । କୋଭିଡ୍ କଟକଣା ପାଇଁ ‘ବି କାଟେଗୋରୀରେ ଥିବା ୯ଟି ଜିଲ୍ଲାରେ ଆଜି ଠାରୁ ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ । କେବଳ ପୁରୀ ଜିଲ୍ଲାକୁ ବାଦ୍ ଦେଇ ‘ବି କାଟେଗୋରୀଭୁକ୍ତ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ଆସନ୍ତାକାଲି ସକାଳ ୧୧ଟାରୁ ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ସ୍କିଲ୍ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ ।

୧୪ ତାରିଖରୁ ପୁରୀରେ ଏହି ଟେଷ୍ଟିଂ ଆରମ୍ଭ ହେବ । ଆସନ୍ତା ୧୨ ତାରିଖରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଡିଏଲ୍ ଟେଷ୍ଟିଂକୁ ସ୍ଥଗିତ ରଖାଯାଇଛି ।ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ପ୍ରକ୍ରିୟା ଗତ ଜୁନ୍ ୨୧ ଓ ଜୁଲାଇ ୫ତାରିଖରୁ ଆରମ୍ଭ ହୋଇଛି । ସେହିପରି ପୁରୀ ଜିଲ୍ଲା ପାଇଁ ଜୁଲାଇ ୧୩ତାରିଖ ସକାଳ ୧୧ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇପାରିବ । ତା ପରଠୁ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ପର‌୍ୟ୍ୟନ୍ତ ଡ୍ରାଇଭିଂ ସ୍କିଲ୍ ଟେଷ୍ଟ ନିମନ୍ତେ ସ୍ଲଟ ବୁକିଂ କରାଯାଇପାରିବ । ଯେଉଁମାନେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେମାନେ ହିଁ ଏହି ସ୍ଲଟ ବୁକିଂ କରିପାରିବେ ।

ଡ୍ରାଇଭିଂ ନବୀକରଣ ପାଇଁ ପୁନଃ ଟେଷ୍ଟ ନିମନ୍ତେ ଅନୁମତି ଦିଆଯିବ । ଆବେଦନକାରୀମାନେ ଟେଷ୍ଟ ସେଣ୍ଟରକୁ ଯିବାବେଳେ ସାଙ୍ଗରେ ନିଜର ବନ୍ଧୁ କିମ୍ବା ସାଙ୍ଗସାଥୀଙ୍କୁ ନଆଣିବା ତଥା କୋଭିଡ୍ ନିୟମ ମାନି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟିଂ ନିମନ୍ତେ ଅନୁମତି ମିଳିବ ନାହିଁ ।ସମସ୍ତ ଜିଲ୍ଲାରେ ଲର୍ଣ୍ଣିଂ ଲାଇସେନ୍ସ ନିମନ୍ତେ ଟେଷ୍ଟ ଓ ସ୍ଲଟ ବୁକିଂ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ।

ସେହିପରି ନୂଆ ଲର୍ଣ୍ଣିଂ ଲାଇସେନ୍ସ, ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କେବେ ଗ୍ରହଣ କରାଯିବ ସେନେଇ ମଧ୍ୟ ପରବର୍ତ୍ତୀ ସମୟରେ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୂଚିତ କରାଯିବ । ବାହାନ ସର୍ଭିସ, ଡିଏଲ୍ , ଫିଟନେସ ଟେଷ୍ଟ ଆଦି ସେବା ମଧ୍ୟ ଜୁଲାଇ ୧୩ତାରିଖରୁ ଉପରୋକ୍ତ \’ବି\’ କାଟେଗୋରୀ ଜିଲ୍ଲାରେ ଉପଲବ୍ଧ ହେବ । ଆବେଦନକାରୀମାନଙ୍କୁ ନିଜର ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ସମ୍ପର୍କରେ ଯାଞ୍ଚ ପାଇଁ ଆରଟିଓ ଅଫିସକୁ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।