Odia News Portal

ନିଶା ବେପାରୀଙ୍କ ପ୍ରତି ରାଜଧାନୀ ପୁଲିସ୍ କୋହଳ, ସକାଳେ ଧରି ସଞ୍ଜରେ ଛାଡୁଛନ୍ତି

ଭୁବନେଶ୍ୱର : ନିଶା ବେପାରୀଙ୍କୁ ସାବାଡ ପାଇଁ ପୁଲିସ୍ ଡିଜି କଡା ନିର୍ଦ୍ଦେଶ ଦେଉଥିବାବେଳେ ରାଜଧାନୀ ପୁଲିସର ନିଶା ବେପାରୀଙ୍କ ପ୍ରତି କୋହଳ ମନୋଭାବ ଏବେ ଚର୍ଚ୍ଚାର ବିଷୟ ହୋଇଛି । ନିଶା ବେପାରର ପେଣ୍ଠସ୍ଥଳ ପାଲିଟିଥିବା ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରୁ ଜଣେ କୁଖ୍ୟାତ ନିଶା ବେପାରୀକୁ ଚୋରା ମଦ ବିକ୍ରି ଅଭିଯୋଗରେ ସକାଳେ ଉଠାଇଥିବା ପୁଲିସ ସଞ୍ଜରେ ଛାଡିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ଏଥି ସହିତ ସେହି ଇଲାକାରୁ ଆଉ ଜଣେ ଗଞ୍ଜେଇ ବେପାରୀକୁ ନେଇଥିବାବେଳେ ତାହା ନିକଟରୁ ପ୍ରାୟ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜଭବନରୁ ଅନତି ଦୂରରେ ଥିବା ଛଅ ନମ୍ବର ଅଞ୍ଚଳର ଜଣେ କୁଖ୍ୟାତ ନିଶା ବ୍ୟବସାୟୀକୁ ଦୁଇଦିନ ତଳେ ପୁଲିସ୍ ଉଠାଇଥିଲା । ଯଦିଓ ଏହି ବ୍ୟବସାୟୀ ଅଧିକାଂଶ ସମୟରେ ଗଞ୍ଜେଇ ବେପାର କରେ କିନ୍ତୁ ଚୋରାମଦ ରଖିବା ଅଭିଯୋଗରେ ତାକୁ ପୁଲିସ୍ ନେଇଥିଲା । ସକାଳେ ନେଇ ପୁଲିସ୍ ଦିନ ସାରା ବସାଇ କିନ୍ତୁ ଚୁପଚୁପ ସଞ୍ଜରେ ଛାଡି ଦେଇଥିଲା । ଏହି କାରବାରରେ ଜଣେ ତଳିଆ ପୁଲିସ୍ ଅଧିକାରୀ ମଧ୍ୟସ୍ଥି ସାଜିବାରୁ ନିଶାବେପାରୀଟି ସହଜରେ ଛାଡ ପାଇଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

ତେବେ ଦୀର୍ଘଦିନ ହେଲା କାଳୀ ମନ୍ଦିର ଆଖପାଖରେ ଗଞ୍ଜେଇ, ମଦ ଠାରୁ ଆରମ୍ଭ କରି ଚରସ ବିକ୍ରି ହେଉଥିବାବେଳେ କରୋନା ଲକଡାଉନ୍ ସମୟରେ ବେପାର ବଢିଯାଇଛି । ଏଠାରେ ଅଧିକାଂଶ ବ୍ୟସାୟୀ ମହିଳାମାନଙ୍କୁ ନିୟୋଜିତ କରିଥିବାରୁ ବେପାର ବଢିବାରେ ଲାଗିଛି । ରାତି ପାହିଲେ ଯୁବକମାନେ ଖୋଲାଖୋଲି ଭାବେ ଆସି ଗଞ୍ଜେଇ ସିଗାରେଟ ସହିତ ଅନ୍ୟାନ୍ୟ ନିଶା କିଣୁଛନ୍ତି । ଏହି ଅଞ୍ଚଳରେ ବେଆଇନ୍ ଭାବେ ଫୁଟପାଥ୍ ଓ କନଜରଭେନ୍ସିରେ ଗଢିଉଠିଥିବା ଘର ଗୁଡିକ ଏବେ ନିଶାକାରବାର ପେଣ୍ଠସ୍ଥଳ ପାଲଟିଛି ।

ଗଞ୍ଜେଇ କାରବାର ଏହି ଅଞ୍ଚଳରେ ବୃଦ୍ଧି ପାଇବା ସହିତ ବେପାରୀଙ୍କ ସଂଖ୍ୟା ଦୁଇ ଯାଇ ସାତରେ ପହଞ୍ଚିଲାଣି । ନିଶା ବେପାର ପାଇଁ ଏଠାରେ ଯେଭଳି ପ୍ରତିଯୋଗିତା ଚାଲିଛି କେଉଁଦିନ ଗୁଳି ଫୁଟିବ ତାହା କହିହେବ ନାହିଁ ବୋଲି ସ୍ଥାନୀୟ ଲୋକେ ମତ ଦେଉଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସ୍ଥାନର ଆଖପାଖରେ ବଡ ଠାରୁ ସାନ ପର୍ଯ୍ୟନ୍ତ ମାଳ ମାଳ ପୁଲିସ ବାବୁ ଘର ପାଇଥିବାବେଳେ ଖୋଦ୍ ପୁଲିସ୍ କମିଶନର ଏଠାରୁ ଅଳ୍ପ ଦୂରରେ ରହୁଛନ୍ତି । ଏହା ସତ୍ୱେ ଏଠାରେ ନିଶା କାରବାର ଚାଲିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି ।

ଦୀର୍ଘଦିନ ଧରି ଏଠାରେ ନିଶା କାରବାର ଚାଲିବା ସହିତ ପୁଲିସ ଓ ଅବକାରୀ ବାବୁମାନେ ଚଢଉ କରି ମଝିେରେ ମଝିରେ ଧର୍ମକୁ ଆଖିଠାର ମାରିଲା ଭଳି କିଛି କିଛି ନିଶା ବେପାରୀଙ୍କୁ ଗିରଫ କରନ୍ତି ଓ ଦିନ କେଇଟାରେ ସେମାନେ ଜେଲରୁ ମୁକୁଳି ଆସନ୍ତି । ନୟାଗଡ, କନ୍ଧମାଳ ଓ ମାଲକାନଗିରି ଆଦି ସ୍ଥାନରୁ ରାଜଧାନୀକୁ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଆସୁଥିବାବେଳେ ଏହାର ସିଂହଭାଗ ଛଅ ନମ୍ବର ଅଞ୍ଚଳକୁ ଆସୁଛି । ଏଠାରୁ ଛୋଟ ଛୋଟ ପୁଡା ହୋଇ ସହରର ବିଭିନ୍ନ ସ୍ଥାନ ଏପରିକି ଅନ୍ୟ ଜିଲ୍ଲାକୁ ବି ଯାଉଛି । ଗଞ୍ଜେଇ ଯେଭଳି ଧରାନପଡିବ ସେଥିପାଇଁ ବେପାରୀମାନେ ଏହାକୁ ବିଭିନ୍ନ ଲୋକଙ୍କ ଘରେ ଛୋଟ ଛୋଟ ପୁଡା କରି ରଖିବା ସହିତ ଭଡା ବି ଦେଉଛନ୍ତି । ଏତେ ସବୁ ସତ୍ୱେ ବି ନିଶା ବେପାରୀଙ୍କ ପ୍ରତି ପୁଲିସ୍ ବାବୁଙ୍କ କୋହଳ ମନୋଭାବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।