Odia News Portal

ଦୁର୍ଗା ମୁର୍ତ୍ତିର ଉଚ୍ଚତା ବିବାଦକୁ ନେଇ କଟକ ବିଜେଡିରେ ଫାଟ

ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ ନେଇ ବିଜେଡିର କଟକ ସଂଗଠନର କଳି ପଦାରେ ପଡିଛି । ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟ ମଧ୍ୟରେ ରଖିବା ପାଇଁ ସରକାରଙ୍କ ନିଷ୍ପତି ପରେ ଗତ ଶନିବାର ଦିନ କଟକ ମହାନଗର ଶାନ୍ତି କମିଟି ଏବଂ ଦୁର୍ଗା ପୂଜା କମିଟି ବୈଠକରେ ଭର୍ତ୍ତୁହରି ମହତବଙ୍କ ମନ୍ତବ୍ୟକୁ ବିରୋଧ କରି ପ୍ରଥମେ ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଦେବାସିଶ ସାମନ୍ତରାୟ ଏବେ ରାଜ୍ୟସଭା ସାଂସଦ ସୁବାସ ସିଂ ମହତବଙ୍କୁ ସମାଲୋଚନା କରିଛନ୍ତି । 

ସୁବାସ କହିଛନ୍ତି ଯେ ସାଂସଦ ଭର୍ତ୍ତୃହରିଙ୍କ ବକ୍ତବ୍ୟ କଟକରେ ବିଭ୍ରାନ୍ତ ଓ ବିବାଦ ସୃଷ୍ଟି କରିଛି । କରୋନା ପରିସ୍ଥିତିିକୁ ଦୃଷ୍ଟିରେ ରଖି ସରକାର ଟିକ ନିଷ୍ପତି ନେଇଥିବା ବେଳେ ଭର୍ତ୍ତୁହରି ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି । ମୂର୍ତ୍ତି ଉଚ୍ଚତା କମିଲେ ବିଘ୍ନ ହେବ ଏହା କୌଣସି ଯୁକ୍ତିଯୁକ୍ତ କଥା ନୁହେଁ ଏବଂ ଭର୍ତ୍ତୁହରିଙ୍କ ଏହି କଥା ଜଟିଳତା ସୃଷ୍ଟି କରୁଥିବା ସେ କହିଛନ୍ତି । 

ତେବେ ଆଜି ଦୁର୍ଗା ମୂର୍ତ୍ତିର ଉଚ୍ଚତା ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ସମ୍ପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ କରୋନା ଗାଇଡଲାଇନ ମାନି ଦୁର୍ଗାପୁଜା ପାଳନ କରିବା ଉଚିତ୍ । ପୁର୍ବରୁ ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଦେବସିଶ ସାମନ୍ତରାୟ ମହତବଙ୍କୁ ଟାର୍ଗେଟ କରି କହିଥିଲେ ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟ ମଧ୍ୟରେ ରଖିବା ପାଇଁ କରୋନାର ସମ୍ଭାବ୍ୟ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ବୋଲି ସାମନ୍ତରାୟ କହିବା ସହ ମହତାବଙ୍କ ଏହି ପଦକ୍ଷେପକୁ ବିରୋଧ କରିବା ପଛରେ କୌଣସି ତର୍କ ନାହିଁ।ଏହା ସହିତ ସେ କହିଥିଲେ ଯେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କଟକ ସହରରେ ଅନାବଶ୍ୟକ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ। ଏହା ଅଯୌକ୍ତିକ ଏବଂ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

କଟକ ମହାନଗର ଶାନ୍ତି କମିଟି ଏବଂ ଦୁର୍ଗା ପୂଜା କମିଟି ମଧ୍ୟରେ ବୈଠକ ପରେ ମହତାବ କହିଥିଲେ ଯେ ଛୋଟ ଆକାରର ମୂର୍ତ୍ତି ପୂଜାରେ ବାଧା ସୃଷ୍ଟି କରୁଛି। ଉଚ୍ଚତାକୁ ଅଢେଇଫୁଟ ହ୍ରାସ କରି କରୋନା ବିସ୍ତାର ରୋକାଯାଇ ପାରିବ ନାହିଁ ବୋଲି ସେ କହିଥିଲେ ।