Odia News Portal

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦୁଇ ଓଡ଼ିଆ ଖେଳାଳୀଙ୍କ ନାମ ସୁପାରିସ

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଦୁଇଜଣ ଓଡ଼ିଆ କ୍ରୀଡାବିତଙ୍କ ନାମ ସୁପାରିସ କରିଛି ରାଜ୍ୟ କ୍ରୀଡ଼ା ବିଭାଗ । ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଆଥଲେଟ୍ ଦୂତି ଚାନ୍ଦ ଏବଂ ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଯାଇଛି । ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବରିଷ୍ଠ ହକି କୋଚ୍ କାଳୁ ଚରଣ ଚୌଧୁରୀଙ୍କ ନାମ ସୁପାରିସ ହୋଇଛି ।

ରାଜ୍ୟ କ୍ରୀଡ଼ା ବିଭାଗରୁ ହସ୍ତଗତ ହୋଇଥିବା ଚିଠିରେ ଗତ ୨୧ ତାରିଖରେ ବୀରେନ୍ଦ୍ର ଲାକ୍ରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠା ଯାଇଥିଲା । ପୁଣି ଆଜି ଦୂତି ଓ କାଳୁଚରଣଙ୍କ ନାମ ପଠାଯାଇଛି । ଗତ ୨୧ ତାରିଖରେ ଆଉ ୪ଟି ବର୍ଗରେ ପୁରସ୍କାର ପାଇଁ ନାମ ସୁପାରିସ ହୋଇଥିଲା । ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଁ କିଟ୍ ଓ ଓଏମ୍ସି ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ନାମ ପଠାଇଛନ୍ତି ରାଜ୍ୟ ସରକାର । ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ ସକାଶେ ଗତ ୨୧ ତାରିଖ ଶେଷ ଦିନ ରହିଥିଲା ।