Odia News Portal

ଷଷ୍ଠ, ସପ୍ତମ ପିଲା ବିଦ୍ୟାଳୟ ମୁହାଁ : ଚାପରେ ଶିକ୍ଷକ ଶିକ୍ଷୟତ୍ରୀ, କଟକଣା ପାଳନ ଚିନ୍ତା

ଭୁବନେଶ୍ୱର : ସରକାରୀ ଘୋଷଣା ମୁତାବକ ଆଜି ଠାରୁ ଷଷ୍ଠ ଓ ସପ୍ତମଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ଖୁସି ଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ କିନ୍ତୁ ଚାପରେ ଅଛନ୍ତି । ବିଶେଷକରି କୋଭିଡ କଟକଣାକୁ ବିଦ୍ୟାଳୟରେ କିଭଳି ପାଳନ କରାଯିବ ସେହି ଚିନ୍ତା ଏବେ ଘାରିଛି ।

ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ମୁହଁରେ ମାସ୍କ ସହିତ ହାତଧୁଆ ଓ ଶାରୀରିକ ଦୂରତା ବାଧ୍ୟତା ମୂଳକ । ତେବେ ଏହାକୁ ବିଦ୍ୟାଳୟରେ ଛୋଟ ଛୋଟ ପିଲା କିଭଳି ମାନିବେ ତାହା ଏବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବହ ଆହ୍ୱାନ ହୋଇଛି । ଛୋଟ ଛୋଟ ପିଲା ଦୀର୍ଘ ସମୟ ଧରି ମୁହଁରେ ମାସ୍କ ପିନ୍ଧି ପାଠପଢିବା ଓ ଶାରୀରିକ ଦୂରତା ରକ୍ଷା ସମ୍ଭବ ନୁହେଁ । ବିଶେଷକରି ଦେଢବର୍ଷ ପରେ ସାଂଗସାଥିଙ୍କୁ ଭେଟୁଥିବା ପିଲାଏ କେତେ ଦୂରତାରେ ରହିବେ ତାହା ବଡ ପ୍ରଶ୍ନବାଚୀ ।

ଏଣେ ଘରୋଇ ବିଦ୍ୟାଳୟଗୁଡିକ ଅଳ୍ପ ପିଲାଙ୍କୁ ନେଇ ସିଫ୍ଟ ୱାରୀ ପାଠପଢା ଚଳାଇଥିବାବେଳେ ସରକାରୀ ବିଦ୍ୟାଳୟରେ କିନ୍ତୁ ତାହା ସମ୍ଭବ ନୁହେଁ । ସରକାରୀ ବିଦ୍ୟାଳୟରେ କେଉଁଠି ଘର ଅଭାବ ତ ଆଉ କେଉଁଠି ଶିକ୍ଷକ ଅଭାବ । ତେଣୁ ପିଲାଙ୍କୁ ଦଳ ଦଳ କରି ପାଠପଢାଇବା ଆଦୌ ସମ୍ଭବପର ନୁହେଁ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନେ ମତ ଦେଉଛନ୍ତି । ସେହିଭଳି ବସ୍ତି ଅଞ୍ଚଳ ଓ ଗରିବ ପରିବାରରୁ ଆସୁଥିବା ପିଲାଏ କିଭଳି ମାସ୍କ ଓ ସାନିଟାଇଜର ବ୍ୟବହାର କରିବେ ତାହା ବି ଶିକ୍ଷକମାନେ ଜାଣିପାରୁ ନାହାନ୍ତି । ତେବେ ସମସ୍ତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଲା ପରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କିଛି ଶିକ୍ଷକ ମତ ଦେଉଛନ୍ତି ।

ସହରାଞ୍ଚଳରେ ଏବେ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି । ପୂର୍ବରୁ ଅଷ୍ଟମରୁ ଉପର ଶ୍ରେଣୀ ପର୍ଯ୍ୟନ୍ତ ଖୋଲିଥିବାବେଳେ ଏବେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଏ ଆସିବେ । ସହରାଞ୍ଚଳରେ ଅଧିକାଂଶ ପିଲା ବସ୍ତି ଅଞ୍ଚଳକୁ ଆସୁଥିବାରୁ ସେମାନଙ୍କ ଠାରେ ସଂକ୍ରମଣ ଭୟ ଅଧିକ ରହିଛି । କାରଣ ଏମାନେ ଏକାଧିକ ପିଲା ଏବଂ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି । ଅନ୍ୟ ପକ୍ଷରେ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରିବା ଏତେଟା ସହଜ ନୁହେଁ । କାରଣ ଯଦି ପ୍ରତି ପିଲାଙ୍କର ପରୀକ୍ଷା ହେବ ତେବେ ପିଲାଏ ଘଣ୍ଟାଏ ପୂର୍ବରୁ ବିଦ୍ୟାଳୟକୁ ଆସିବେ ନଚେତ ବିଦ୍ୟାଳୟରେ ଘଣ୍ଟାଏ ସମୟ ଏଥିପାଇଁ ରହିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।

ରାଜ୍ୟରେ ଥିବା ବେସରକାରୀ ଓ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଆଗୁଆ ଭାବେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଆସିବା ନେଇ ଜଣ ଜଣ କରି ଅଭିଭାବକଙ୍କ ମତ ଲୋଡାଯାଉଥିବାବେଳେ ସରକାରୀ ବିଦ୍ୟାଳୟରେ ସେହି ବ୍ୟବସ୍ଥା ନାହିଁ । କାରଣ ବର୍ତ୍ତମାନ ସୁଦ୍ଧା ସରକାରୀ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ଅନଲାଇନ୍‍ ପାଠପଢା ପହଞ୍ଚି ପାରିଲା ନାହିଁ । ତେବେ ଆଜିଠାରୁ ବିଦ୍ୟାଳୟକୁ ପିଲାମାନେ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚାପରେ ଥିବା ବହୁ ଶିକ୍ଷକ ଶିକ୍ଷୟତ୍ରୀ ମତ ଦେଉଛନ୍ତି ।