Odia News Portal

ବାହୁଡ଼ା ଓ ସୁନାବେଶ ଲାଗି ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଶନିବାର ସୁନାବେଶ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ମଙ୍ଗଳ ଆଳତି ହୋଇ ନୀତି ବଢ଼ିବ। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ଦୁଇଦିନ ଧରି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ବାହୁଡ଼ା ପରିବର୍ତ୍ତେ ସୁନାବେଶରେ ୧୦ଲକ୍ଷରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆକଳନ କରିଛି ପୁଲିସ ପ୍ରଶାସନ। ହଜାର ହଜାର ସଂଖ୍ୟାର ଗାଡ଼ିର ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏଡିଜି ତଥା ରଥ ପରିଚାଳନା ସ୍ୱତନ୍ତ୍ର ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପ୍ରିୟଦର୍ଶୀଙ୍କ କହିବାନୁଯାୟୀ, ବାହୁଡ଼ା ଓ ସୁନାବେଶ ଲାଗି ଶ୍ରୀକ୍ଷେତ୍ରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଟ୍ରାଫିକ ସୁପରିଚାଳନାଠୁ ଆରମ୍ଭକରି ସୁରକ୍ଷା ଲାଗି ବ୍ୟପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଲାଗି ୧୯ଜଣ ଆଇପିଏସ୍‌ ଅଧିକାରୀ ଓ ୧୩ ହଜାର ପୁଲିସ କର୍ମଚାରୀ ଓ ୨୦୫ ପ୍ଲାଟୁନ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି। ସେହିଭଳି ସେଣ୍ଟ୍ରାଲ ଫୋର୍ସର ୧୫ କମ୍ପାନୀ ଫୋର୍ସ ମୁତୟନ। ଏହାମଧ୍ୟରେ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଆର୍‌ପିଏଏଫ୍‌, ଏନ୍‌ଏସ୍‌ଜି ମୁତୟନ କରାଯାଇଛି। ୩ ରଥ ଲାଗି ୨ଟି କର୍ଡନ କରାଯାଇଛି। ଭିତର ଓ ବାହାର କର୍ଡନ। ବଡ଼ଦାଣ୍ଡକୁ ସେକ୍ଟର ଅନୁଯାୟୀ ବଣ୍ଟନ କରାଯାଇଛି। ପ୍ରତ୍ୟେକ ସେକ୍ଟରରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକାରୀ ଓ କର୍ମଚାରୀ ମୁତୟନ ଅଛନ୍ତି। ସେମାନେ ଭିଡ଼କୁ ନିୟନ୍ତ୍ରଣ କରିବେ।

ଅନ୍ୟପକ୍ଷରେ ଶ୍ରଦ୍ଧାଳୁ ଅଚେତ୍‌ ହୋଇପଡ଼ିଲେ ସେମାନଙ୍କୁ ତ୍ୱରିତ ସେବା ଯୋଗାଇବା ଲାଗି ଅଗ୍ନିଶମ କର୍ମଚାରୀ ଓ ସ୍ୱେଚ୍ଛାସେବୀ ମୁତୟନ ରହିବେ। ସେହିପରି ସମୁଦ୍ର ଉପକୂଳ ଅଞ୍ଚଳରେ ନ୍ୟାଭି ଓ ଏୟାରଫୋର୍ସ ଏବଂ ମେରାଇନ୍‌ ପୁଲିସ ସଜାଗ ରହିଛନ୍ତି। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ଲାଇଫଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି। ବମ୍‌ସ୍କ୍ୱାଡ, ଡଗ୍‌ ସ୍କ୍ୱାଡମାନଙ୍କୁ ନିୟୋଜିତ କରାଯାଇଛି। ସେମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସନ୍ଦେହପୂର୍ଣ୍ଣ ଜାଗାକୁ ତନ୍ନତନ୍ନ କରି ଯାଞ୍ଚ କରିବେ। ପୁଲିସ ପକ୍ଷରୁ ଜାରି ହୋଇଥିବା ବାହୁଡ଼ା ଓ ସୁନାବେଶ ଟ୍ରାଫିକ କଟକଣାକୁ ମାନି ପୁଲିସକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ସମୟରେ ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅମିତାଭ ଠାକୁର ଉପସ୍ଥିତ ଥିଲେ।