ଲଘୁଚାପର ପ୍ରଭାବ। ଅଶାନ୍ତ ହୋଇପଡିଛି ସମୁଦ୍ର। ଆଉ ଏହି ଅଶାନ୍ତ ସମୁଦ୍ର ଗ୍ରାସ କରିନେଲା ଜଣେ ମତ୍ସ୍ୟଜୀବୀଙ୍କୁ।ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନୋଳିଆ ସାହିରୁ ଆଜି ସକାଳେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ କେତେଜଣ ମତ୍ସ୍ୟଜୀବୀ। ଫେରୁଥିବା ବେଳେ ହଠାତ୍ ବଡ ଢେଉ ଆସି ସେମାନଙ୍କ ଡଙ୍ଗାକୁ ଓଲଟାଇ ଦେଲା।ଅନ୍ୟମାନେ କୌଣସି ମତେ ଜୀବନ ବଞ୍ଚାଇ ପାରିଲେ।
କିନ୍ତୁ ଭାସିଗଲେ ଜଣେ। ନାଁ ତାଙ୍କର ପିକ୍କି ରମନା। ବୟସ ମାତ୍ର ୩୦ ବର୍ଷ। ସେହି ସମୟରୁ ଚାଲିଛି ଖୋଜାଖୋଜି। ସ୍ଥାନୀୟ ମତ୍ସ୍ୟଜୀବୀ ଓ ଉଦ୍ଧାର କାରୀ ଦଳ ସମୁଦ୍ରରେ ଖୋଜୁଛନ୍ତି। କିନ୍ତୁ ସମୁଦ୍ର ଏତେ ଅଶାନ୍ତ ଯେ ଉଦ୍ଧାର କାମରେ ବାଧା ସୃଷ୍ଟି ହେଉଛି। ପରିବାର ଲୋକଙ୍କ ଅବସ୍ଥା ଶୋଚନୀୟ। ଘର ଏକମାତ୍ର ରୋଜଗାରିଆ ପୁଅ ସମୁଦ୍ରରେ ନିଖୋଜ। ସାହି ସାରା ଶୋକର ଛାୟା।ପ୍ରଶ୍ନ ଉଙ୍କି ମାରୁଛି ଲଘୁଚାପ ଚେତାବନୀ ଥାଇ ମଧ୍ୟ ମତ୍ସ୍ୟଜୀବୀମାନେ କାହିଁକି ସମୁଦ୍ରକୁ ଗଲେ? ନା ସେମାନଙ୍କ ପାଖେ ବିକଳ୍ପ ନାହିଁ? ପେଟ ପାଇଁ ଜୀବନ ବାଜି ଲଗାଇବାକୁ ବାଧ୍ୟ?ପ୍ରଶାସନ ପକ୍ଷରୁ ତୁରନ୍ତ ଖୋଜାଖୋଜି ଜୋରଦାର କରିବା ସହ ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।ସମୁଦ୍ର ଯେତେ ଦିନ ଶାନ୍ତ ନହେବ, ସେତେ ଦିନ ପର୍ଯ୍ୟନ୍ତ ଏହି ନୋଳିଆ ସାହିର ଚୁଲି ଜଳିବ କି ନାହିଁ ତାହା ଅନିଶ୍ଚିତ। ସମସ୍ତ ଙ୍କ ମୁହଁରେ ଗୋଟିଏ କଥା ପିକ୍କି ଫେରିବେ ତ? ଏହି ଆଶାରେ ବସିଛି ସାରା ସାହି।
