Odia News Portal

6 ଜିଲ୍ଲାରେ ବନ୍ୟାର ତାଣ୍ଡବ

୬ ଜିଲ୍ଲା… ୪୪ ବ୍ଲକ… ୨୩୩ ପଞ୍ଚାୟତ… ୭୪୮ ଗାଁ… ଚାରିଆଡ଼େ ବନ୍ୟାର ଭୟଙ୍କର ବିଭୀଷିକା। କେଉଁଠି ସମ୍ପୂର୍ଣ୍ଣ ଜଳବନ୍ଦୀ ଗାଁ, ତ କେଉଁଠି ବନ୍ୟା ପାଣିରେ ବୁଡ଼ି ଯାଇଛି ଘରଦ୍ୱାର ଓ ଚାଷଜମି। ରାଜ୍ୟର ୬ଟି ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ ଜାରି ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ ସମ୍ବଲପୁରରେ ବନ୍ୟା ସ୍ଥିତି ଗୁରୁତର ହୋଇପଡ଼ିଛି। ଏହି ବନ୍ୟା ଏପର୍ଯ୍ୟନ୍ତ ୩ ଜଣଙ୍କ ଜୀବନ ମଧ୍ୟ ନେଇସାରିଛି।

ରାଜସ୍ୱ ବିଭାଗର ସୂଚନା ଅନୁସାରେ, ୬ ଜିଲ୍ଲାର ୪୪ଟି ବ୍ଲକ, ୨୩୩ଟି ପଞ୍ଚାୟତ, ୭୪୮ଟି ଗାଁ ଏବଂ ୬ଟି ସହରାଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ଘର ଭିତରେ ପାଣି ପଶିଯାଇଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ବନ୍ୟାରେ ମୋଟ ୨ ଲକ୍ଷ ୩ ହଜାର ୨୦୮ ଜଣ ପ୍ରଭାବିତ ହୋଇଥିବାବେଳେ ୨୭ ହଜାର ୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପାଣି ଛାଡ଼ିଯାଉଛି କ୍ଷୟକ୍ଷତିର ଗଭୀର ଚିହ୍ନ। ୭୬୧ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୭,୯୦୧ ହେକ୍ଟର ଚାଷଜମି ନଷ୍ଟ ହୋଇଛି।

ଅନ୍ୟପଟେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ବନ୍ୟା ମୁକାବିଲା ପାଇଁ ୨ଟି NDRF ଟିମ୍, ୧୨ଟି ODRAF ଟିମ୍ ଓ ୪୪ଟି ଅଗ୍ନିଶମ ବାହିନୀ ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଛନ୍ତି। ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ସହ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସହାୟତା ଯୋଗାଇବା ପାଇଁ ପ୍ରଶାସନ ତତ୍ପର ରହିଛି।