Odia News Portal

ଫ୍ରୀ ଫାୟାରରୁ ପ୍ରେମ, ପୁଅକୁ ୧୯ ଝିଅକୁ ୨୧

ମୁମ୍ବାଇ: ଏବେ ଯୁବପିଢ଼ୀଙ୍କୁ ଘରିଛି ଫ୍ରୀ ଫାୟାର ନିଶା । ତେବେ ଏହି ଖେଳରୁ ଆରମ୍ଭ ହୋଇଥିଲା ପ୍ରେମ । ଆଉ ଶେଷରେ ସାଥୀ ହୋଇ ରହିବାକୁ ଘର ଛାଡ଼ି ଶହ ଶହ କିଲୋମିଟର ଦୂରକୁ ପ୍ରେମିକ ପାଖକୁ ଧାଇଁ ଆସିଲେ ପ୍ରେମିକା । ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ପୁଅର ଘର ମହାରାଷ୍ଟ୍ରର ଭଗୱାରେ ହୋଇଥିବା ବେଳେ ଝିଅର ଘର ହରିୟାଣାରେ । ଲକଡାଉନରେ ଫ୍ରୀ ଫାୟାର ଖେଳୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା ।

ଝିଅ ଘର ଲୋକେ ଏକଥା ଜାଣିବା ପରେ ବାହାଘର ଅନ୍ୟତ୍ର ଠିକ କରି ଦେଇଥିଲେ । ତେବେ ପ୍ରେମିକକୁ ପାଇବା ଲାଗି ଶେଷରେ ଘର ଛାଡ଼ିଲେ ଯୁବତୀ । ଶହ ଶହ କିଲୋମିଟର ଦୂର ଅତିକ୍ରମ କରି ପୁଣେର ଡାଉଣ୍ଡ ରେଳ ଷ୍ଟେସନରେ ପହଞ୍ଚିବା ପରେ ପୁଅର ମାମୁଁ ଓ ମା ଝିଅକୁ ନେଇ ଘରକୁ ଯାଇଥିଲେ । ତେବେ ଝିଅ ଘର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୋଲିସ ଝିଅକୁ ଖୋଜି ଖୋଲି ମହାରାଷ୍ଟ୍ରରେ ପହଞ୍ଚିଥିଲେ ।

ଝିଅର ପରିବାର ଲୋକେ ଯେତେ ବୁଝାଇଥିଲେ ସୁଦ୍ଧା ଘରକୁଚ ଯିବାକୁ ନାରାଜ ହୋଇଥିଲେ ଯୁବତୀ । ଶେଷରେ ସେ ପ୍ରେମିକ ସହ ସବୁଦିନ ଲାଗି ରହିବାକୁ କହିଥିଲେ । ଉଭୟ ବିବାହ କରିବା ଲାଗି କୋର୍ଟରେ ପହଞ୍ଚିଥିଲେ । ତେବେ ଝିଅର ବୟସ ୨୧ ହୋଇଥିବା ବେଳେ ପୁଅର ବୟସ ୧୯ ହୋଇଥିବାରୁ ସେମାନଙ୍କ ବିବାହ ହୋଇପାରିନଥିଲା । କାରଣ ପୁଅମାନଙ୍କ ବିବାହ ବୟସ ୨୧ ରହିଛି । ତେବେ ବିବାହ ନକଲେ ସୁଦ୍ଧା ପ୍ରେମୀ ଯୁଗଳ ଏବେ ଲିଭ-ଇନ ରିଲେସନସିପରେ ରହୁଛନ୍ତି ।