Odia News Portal

ବାଘ ମୃତ୍ୟୁ ଘଟଣାରେ: ୬ ଗିରଫ

ଗଞ୍ଜାମ: ବୁଗୁଡ଼ା ବନାଞ୍ଚଳର କଲରାପତରିଆ ବାଘ ମୃତ୍ୟୁ ଘଟଣା । ଫାଶ ପକାଇ ଥିବା ୬ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଏନେଇ ସୂଚନା ଦେଇଛନ୍ତି ବୁଗୁଡ଼ା ବନଖଣ୍ଡ ଅଧିକାରୀ ଫକୀର ବେହେରା । ଗତ ୨୮ ତାରିଖରେ ବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ପଡ଼ିଥିଲା କଲରାପତରିଆ ବାଘ । ତେବେ ଉଦ୍ଧାର ବାଘ ମୃତ୍ୟୁ ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି ।

ଗତ ୨୮ ତାରିଖ ଦିନ ବୁଗୁଡ଼ା ରେଞ୍ଜର ବଡ଼ପଥର ଠାରେ ବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ପଡ଼ିଯାଇଥିଲା କଲରାପତରିଆ ବାଘ । ବନବିଭାଗ ଓ ଗ୍ରାମବାସୀଙ୍କ ଉଦ୍ୟମରେ ବାଘକୁ ଉଦ୍ଧାର କରାଯାଇଥିଲା । ପରେ ବନବିଭାଗ ବାଘଟିକୁ ଜଙ୍ଗଲରେ ଛାଡି ଦେଇଥିଲେ । ହେଲେ ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ କଲରାପତରିଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । କଲରାପତରିଆ ଉଦ୍ଧାର ପରେ ବନବିଭାଗ କର୍ମଚାରୀ ଉପଯୁକ୍ତ ଏସଓପି ମାନିନଥିବାରୁ ବାଘର ଜୀବନ ଚାଲିଯାଇଥିବା ପଶୁପ୍ରେମୀ ଅଭିଯୋଗ କରିଥିଲେ । ତେବେ ଉଦ୍ଧାର ବାଘ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଞ୍ଜିତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ବୁଗୁଡ଼ା ବନ ବିଭାଗ । ପୋଲିସ ସହାୟତାରେ ଗତ ରାତିରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରାଯାଇଛି ।

ବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ପଡ଼ିଯାଇଥିବା କଲରାପତରିଆ ବାଘକୁ ୫ ଘଣ୍ଟାର ଅପରେସନ ପରେ ଜାଲରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଜଙ୍ଗଲରେ ଛାଡିବା ପୂର୍ବରୁ ଆଖି ବୁଜିଦେଇଥିଲା କଲରାପତରିଆ ବାଘ । ମୃତ କଲରାପତରିଆ ବାଘର ପୋଷ୍ଟ ମର୍ଟମ କରାଯିବା ପରେ ମୃତ ବାଘକୁ ଦାହ କରିଥିଲେ ବନ କର୍ମଚାରୀ । ବାଘର କେଉଁ ପରିସ୍ଥିତିରେ ମୃତ ହେଲେ ତାକୁ ନେଇ ଦେଖାଦେଇଛି ବିବାଦ ।