Odia News Portal

ରାଜଧାନୀରେ ମାଳ ମାଳ ସରକାରୀ କ୍ୱାଟର୍ସ ଖାଲି

ସରକାରୀ ଘର ପାଇବାକୁ ୬ହଜାରରୁ ଅଧିକ ଆବେଦନ

ଭୁବନେଶ୍ୱର : ରାଜଧାନୀରେ ୬ହଜାରରୁ ଅଧିକ ସରକାରୀ କର୍ମଚାରୀ କ୍ୱାଟର୍ସଟିଏ ପାଇବାକୁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଶହ ଶହ କ୍ୱାଟର୍ସ ଖାଲି ପଡିଛି । ହେଲେ ସରକାର ସେଗୁଡିକୁ କର୍ମଚାରୀଙ୍କୁ ଦେଉ ନାହାନ୍ତି । ଯେଉଁଠି କ୍ୱାଟର୍ସ ମିଳୁଛି ତାହାକୁ ଦେଖି ସରକାରୀ କର୍ମଚାରୀମାନେ ମୁହଁମୋଡି ପଳାଉଛନ୍ତି । ଏହାର ଏକମାତ୍ର କାରଣ ହେଉଛି ଚୋରି ଓ ଚୋର ଭୟ । ରାଜଧାନୀର ପ୍ରାୟ ସମସ୍ତ ୟୁନିଟ୍‌ରେ ଏବେ ମାଳ ମାଳ ସରକାରୀ କ୍ୱାଟର୍ସ ଖାଲିପଡିଛି । ଖାଲିପଡିଥିବା ଏହି ସରାକରୀ ଘରେ କବାଟ ଝରକା ତ ଦୂରରକଥା ଟାଇଲ ଇଟା ଆଦି ଚୋରିହୋଇ ଗଲାଣି । ଆଜବେଷ୍ଟସନକୁ ଚୋର ଦିନ ଦ୍ୱିପ୍ରହରରେ ଖୋଲି ନେଉଛନ୍ତି । ତେଣୁ ଯେଉଁ କର୍ମଚାରୀଙ୍କୁ କ୍ୱାଟର୍ସ ମଞ୍ଜୁର ହେଉଛି ସିଏ ରହିବାକୁ ନାକ ଟେକୁଛନ୍ତି ।

ହେଲେ ସରକାର କହୁଛନ୍ତି ସରକାରୀ କ୍ୱାଟର୍ସରୁ ଚୋରିର କୌଣସି ସୂଚନା ତାଙ୍କ ପାଖରେ ନାହିଁ ।ଖୋଦ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦିଆଯାଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଉତ୍ତରରେ ଦର୍ଶାଯାଇଛି ରାଜଧାନୀରେ ମାତ୍ର ୪୫ଟି ସରକାରୀ ଘର ଖାଲିପଡିଛି । କେବଳ ୬ନମ୍ବର ୟୁନିଟ୍‌ରେ ଶହେରୁ ଅଧିକ କ୍ୱାଟର୍ସ ଭୂତକୋଠି ଅବସ୍ଥାରେ । ବର୍ଷବର୍ଷ ଧରି ଘର ଖାଲିପଡିଛି ଓ ଏହାର କାନ୍ଥ ଓ ଛାତ ବାଦ୍‌ ଆଉ ସବୁ ଚୋରି ହୋଇଗଲାଣି । ତେଣୁ କେଉଁ ସୂଚନା ଆଧାରରେ ରାଜଧାନୀରେ ୪୫ଟି କ୍ୱାଟର୍ସ ଖାଲି ବୋଲି ବିଧାନସଭାରେ ସୂଚନା ଦିଆଗଲା ତାହା ଜଣାପଡୁ ନାହିଁ । ତେବେ ୬୧୩୮ଜଣ କର୍ମଚାରୀ କ୍ୱାଟର୍ସ ଅପେକ୍ଷାରେ ଥିବାବେଳେ କେଉଁ କାରଣ ପାଇଁ କର୍ତ୍ତୃପକ୍ଷ ଖାଲି ପଡିଥିବା ଘରଗୁଡିକୁ ସେମାନଙ୍କୁ ଦେଉ ନାହାନ୍ତି ତାହା  ଆଲୋଚନାର କାରଣ ପାଲଟିଛି । ଏହା ଫଳରେ ଚୋରମାନେ ଅଧିକ ଉତ୍ସାହିତ ହେବା ସହିତ କେତେକ ସ୍ଥାନରେ ସରକାରୀ କ୍ୱାଟର୍ସକୁ ମାଡିବସିଲେଣି । ଅନେକ ସ୍ଥାନରେ ଚୋରିର ବାହାନା ଦେଖାଇ ଯନ୍ତ୍ରୀମାନେ ନିଜ ନିଜ ଲୋକଙ୍କୁ ସରକାରୀ କ୍ୱାଟର୍ସରେ ମାଗଣାରେ ବି  ରଖିଲେଣି ।

ମୋଟାମୋଟି ଭାବେ ରାଜଧାନୀରେ ମାଳ ମାଳ ସରକାରୀ କ୍ୱାଟର୍ସ ଖାଲି ପଡିଥିବାବେଳେ କ୍ୱାଟର୍ସ ଖଣ୍ଡିଏ ନପାରି ଲୋକେ ନାନା ହୀନସ୍ତା ହେଉଛନ୍ତି । ଏଣେ ବସ୍ତିବାସିନ୍ଦା କ୍ୱାଟର୍ସ ପଛପଟୁ ଦଖଲ କରିବାରେ ଲାଗିଲେଣି । ତେଣୁ ତୁରନ୍ତ ସାଧାରଣ ପ୍ରଶାସନ ବିଭାଗ ଓ ପୂର୍ତ୍ତ ବିଭାଗ ଏ ଦିଗ ପ୍ରତି ଦୃଷ୍ଟି ଦେବା ସହିତ ଉଜୁଡି ଯାଉଥିବା ସରକାରୀ ସମ୍ପତ୍ତିକୁ ରକ୍ଷା କରିବାକୁ ଦାବି ହେଉଛି । ନହେଲେ ଆଗାମୀ ଦିନରେ ସରକାରୀ କ୍ୱାଟର୍ସ କୁ ନେଇ ବସ୍ତି ଗଢିଉଠିଲେ  ତାହାକୁ ହଟାଇବା ଖୋଦ ସରକାରଙ୍କ  ପାଇଁ କାଠିକରପାଠ ହୋଇପଡିବ ।