Odia News Portal

ଏଥର ଦୀପାବଳିରେ ଫୁଟିବ ବାଣ

ଭୁବନେଶ୍ୱର: ରାଜ୍ୟରେ ଏଥର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପୂର୍ବ ବର୍ଷ କରୋନା ମହାମାରୀ ସମୟରେ ବାଣ ବିକ୍ରି ଓ ଫୁଟାଇବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଥିବା ବେଳେ ଚଳିତ ବର୍ଷ କେବଳ ସବୁଜ ବାଣ ବ୍ୟବସାୟ ଓ ଫୁଟାଇବା ପାଇଁ ଅଲ ଓଡ଼ିଶା ଫାୟାର  ୱାର୍କର ଆଣ୍ଡ ଡିଲର ଆସୋସିଏସନ୍ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।

ଯାହାର ଶୁଣାଣୀ କରି ଆଜି ହାଇକୋର୍ଟ ରାଜ୍ୟରେ ସୁବଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ପୂର୍ବରୁ ଗତ ଶୁକ୍ରବାର ଦିନ ଏହି ପ୍ରସଙ୍ଗରେ ଶୁଣାଣୀ କରି ହାଇକୋର୍ଟ ଏସଆରସିଙ୍କୁ ନିଷ୍ପତି ନେବା ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କେବଳ ସବୁଜ ବାଣକୁ ଅନୁମତି ଦିଆଯାଇପାରିବ ବୋଲି ଶନିବାର ଏସଆରସି ନିଷ୍ପତି ନେଇ କୋର୍ଟଙ୍କୁ ଜଣାଇବା ପରେ ଆଜି ପୁଣି ଏହି ପ୍ରସଙ୍ଗରେ ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ ।

ଦୀପାବଳି ଦିନ କେବଳ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ରାଜ୍ୟ ବାସୀଙ୍କୁ ଅନୁମତି ମିଳିଛି । ରାତି ୮ ଟାରୁ ରାତି ୧୦ ମଧ୍ୟରେ ହିଁ ବାଣ ଫୁଟାଯାଇପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କେବଳ ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫଟି ଅରଗାନାଇଜେସନ୍ (ପିଇଏସଓ) ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ ରହିଛି ।