Odia News Portal

ବାବୁଙ୍କ କାରସାଦି, ଇଞ୍ଜିନିୟର ଭାବେ ଖଟୁଥିବା କର୍ମଚାରୀଙ୍କର ଖାତା ଖତିଆନା ନାହିଁ

ଭୁବନେଶ୍ୱର : ଚାକିରି ଇଞ୍ଜିନିୟର । ଦରମା ମାସକୁ ୩୦ ରୁ ୩୫ହଜାର ଟଙ୍କା । ହେଲେ ଯନ୍ତ୍ରୀଙ୍କ ଇଏସଆଇ ଇପିଏଫ୍‍ ନଥିବାରୁ ଖାତା ଖତିଆନା କିଛି ନାହିଁ । କେବଳ ଯନ୍ତ୍ରୀ ନୁହନ୍ତି ନଗର ଉନ୍ନୟନ ବିଭାଗରେ ରାଜଧାନୀରୁ ମ୍ୟୁନିପାଲିଟି ଯାଏ ନିଯୁକ୍ତ ହୋଇ ମାଳ ମାଳ ଠିକା ବାବୁଙ୍କର ଏଭଳି ଅବସ୍ଥା ।

ରାଜ୍ୟ ସରକାର ଏବେ ସହରାଞ୍ଚଳରେ ମୁକ୍ତା ଠାରୁ ଆରମ୍ଭକରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିପାଇଁ ସିଭିଲ ଇଞ୍ଜିନିୟରଂଙ୍କ ଠାରୁ ଆରମ୍ଭକରି ଇଲେକ୍ଟ୍ରିକାଲ ଇଞ୍ଜିନିୟର, କମ୍ପ୍ୟୁଟର ପ୍ରୋଗ୍ରାମର ଭଳି ପ୍ରଫେସନାଲମାନେ ନିଯୁକ୍ତ ହେଉଛନ୍ତି । ଏମାନଙ୍କ ସଂଖ୍ୟା ଚାରି ଅଙ୍କରେ ପହଞ୍ଚିଲାଣି । ହେଲେ ଖାତା ଖତିଆନା ନାହିଁ । ନା ଏମାନଙ୍କର ଇପିଏଫ୍‍ କଟୁଛି ନା ଇଏସ୍‍ଆଇ । ଅବସ୍ଥା ଏଭଳି ହୋଇଛି ଲକ୍ଷେ ପାଖାପାଖି ପାଉଣା ପାଉଥିବା କର୍ମଚାରୀଟିଏ ବ୍ୟାଙ୍କ୍‍କୁ ଗାଡିଟିଏ କିଣିବାପାଇଁ ଋଣ ଆଣିବାକୁ ଗଲେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଦୂର ଦୂର ମାର ମାର କରୁଛନ୍ତି । ସିଧା କହୁଛନ୍ତି ତୁମର ଇଏସ୍‍ଆଇ, ଇପିଏଫ୍‍ ଆଣି ଆସିଲେ ଋଣ ନେବ ।

ମିଳିଥିବା ସୂଚନା ଅନୁଯାୟୀ ଏହା ପଛରେ ରହିଛି ଏକ ବଡ କାରଣ । ଏହି କର୍ମଚାରୀମାନେ ବିଭିନ୍ନ ଆଉଟି ସୋର୍ସିଂ ସଂସ୍ଥାରୁ ଆସିଛନ୍ତି । ନିୟମ ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ସେମାନଙ୍କର ଇଏସ୍‍ଆଇ ଓ ଇପିଏଫ କରିବାକଥା । ହେଲେ କିଛି ସଂସ୍ଥା ବିଭାଗର ବାବୁଙ୍କୁ ହାତ କରି ଏହି କର୍ମଚାରୀଙ୍କ ପଦବୀକୁ କନସଲଟାନ୍ସିଂ କରିଦେଇଛନ୍ତି । ଯାହା ଫଳରେ ଆଉ ଇଏସ୍‍ଆଇ ନାହିଁ କି ଇପିଏଫ୍‍ ବି ନାହିଁ । ଏପରିକି ଏମାନେ ଚାକିରିଆ କି ବେକାରିଆ ତାହାର ବି କୌଣସି ଖାତା ଖତିଆନା ନାହିଁ । ଯେତେବେଳେ ବାବୁମାନେ ଚାହିଁବେ ସେତେବେଳେ ଏମାନେ ରହିବେ, ନହେଲେ ବିଦା ହେବେ ।

ଯଦି ଏହି କର୍ମଚାରୀମାନଙ୍କର ଅତି କମ୍‍ରେ ଇପିଏଫ୍‍ ଓ ଇଏସ୍‍ଆଇ ରହିଥାନ୍ତା ତେବେ ସେମାନେ କିଛିଦିନ କାମ କଲାପରେ ଅନ୍ତତଃ ପେନ୍‍ସନ ପାଇଥାନ୍ତେ । ସେମାନଙ୍କ ପରିବାରକୁ ଚିକିତ୍ସା ସୁବିଧା ମିଳିଥାନ୍ତା । ହେଲେ ବାବୁ-କର୍ମଚାରୀ ଯୋଗାଣ ସଂସ୍ଥା ମିଳିତ ଭାବେ ଏଭଳି କାରସାଦି କରିଛନ୍ତି ଯେ ଏହି କର୍ମଚାରୀମାନେ ସେଥିରୁ ବି ବଞ୍ଚିତ । ଯଦି କୌଣସି କାରଖାନାରେ ୨୦/୨୫ କର୍ମଚାରୀ କାମ କରୁଛନ୍ତି ସେଠାରେ ଇଏସ୍‍ଆଇ, ଇପିଏଫ୍‍ ବାଧ୍ୟତାମୂଳକ ହେଉଛି । ହେଲେ ହଜାର ହଜାର କର୍ମଚାରୀ ସରକାରୀ ବ୍ୟବସ୍ଥାରେ ଥିବାବେଳେ ଏମାନଙ୍କର କୌଣସି ସୁବିଧା ନାହିଁ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କିଛି କର୍ମଚାରୀ ଏତେ କମ୍‍ ପାଉଣା ପାଉଛନ୍ତି ଯେ ସେମାନେ କୁଶଳୀ କି ଅଣକୁଶଳୀ ଅଥବା ଅର୍ଦ୍ଧକୁଶଳୀ ତାହା ଜାଣିପାରୁ ନାହାନ୍ତି । ସରକାରୀ ସଂସ୍ଥାରେ କାମ କରୁଛନ୍ତି ବୋଲି ବାହାରେ ପ୍ରଚାର କରୁଥିଲେ ବି ଭିତରେ କିନ୍ତୁ ବେସରକାରୀ ସଂସ୍ଥା ଠାରୁ ହୀନ । ଏଥିପାଇଁ ଅନେକ ପୌର ପ୍ରଶାସନ ଦାୟିତ୍ୱରେ ଥିବା ବାବୁମାନଙ୍କୁ ଦୋଷ ଦେଉଛନ୍ତି । ଏହିମାନେ ହିଁ କର୍ମଚାରୀ ଯୋଗାଣ ସଂସ୍ଥା ସହିତ ହାତ ମିଳାଇ କର୍ମଚାରୀଙ୍କ ତଣ୍ଟି ଚିପିବାରେ ବ୍ୟସ୍ତ । ତେଣୁ ସରକାର ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ଉଠୁଛି ।