Odia News Portal

ଆସନ୍ତାକାଲିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅଗଷ୍ଟ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲା । ତେବେ ସେପ୍ଟେମ୍ବର ମାସରେ ଏହା ପୂରଣ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପଟେ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସ୍ୱାଭାବିକ ବର୍ଷା ପ୍ରାୟ ୧୦୦୦ ମିମି ହେବା କଥା, ହେଲେ ବର୍ଷା ପରିମାଣ ୨୭% କମ୍ ରହିଛି । ଗତ ପହିଲାରୁ ବର୍ଷା ପରିମାଣ ବଢ଼ିଥିବାବେଳେ ଚଳିତ ମାସରେ ଭଲ ବର୍ଷା ହେବା ନେଇ ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେଉଛି । ତେଣୁ ଆସନ୍ତା ୧୦ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାଫଳରେ ରାଜ୍ୟକୁ ଭାରୀ ବର୍ଷା ସମ୍ଭାବନା ରହଛି । ସାମ୍ଭାବ୍ୟ ଲଘୁଚାପର ବିଶେଷ ପ୍ରଭାବ ଉତ୍ତର ତଥା କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ରହିପାରେ ।

ଦକ୍ଷିଣ ସୀମାନ୍ତ ତଥା ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ଏହାର ଆଂଶିକ ପ୍ରଭାବ ନଜରକୁ ଆସିବ । ସମୟ ଅନ୍ତରାଳେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି । ଆସନ୍ତା ୧୦ ତାରିଖ ଗଣେଷ ପୂଜା ଓ ୧୧ ତାରିଖ ନୂଆଖାଇ ଥିବାବେଳେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ୧୦ ତାରିଖ ଦିନ ରାଜ୍ୟର ୫ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୧୧ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼କୁ ଭାରୀ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖ ଦିନ ମଧ୍ୟ ରାଜ୍ୟର ଏକାଧିକ ସ୍ଥାନରେ ଭାରୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଜାରି କରିଛି ।