Odia News Portal

୭ ତାରିଖ ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୪ ଦିନ ତଥା ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏଥିସହ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ରାଜ୍ୟର ଅନ୍ୟ ଅଞ୍ଚଳରେ ପାଗ ମୁଖ୍ୟତଃ କୋହଲା ରହିବ। ୮ ତାରିଖଠାରୁ ରାଜ୍ୟରେ ସେଭଳି ବର୍ଷା ନ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ହେବନି। ତେବେ ଏହାପରେ ରାତିର ତାପମାତ୍ରା ସାମାନ୍ୟ କମିବ। ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ଼ରେ ୭୪ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୫୫.୪ ମିମି ବର୍ଷା ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ କରାଯାଇଛି।