Odia News Portal

ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କରିବେ ଚାଷୀ, ଦାରୁବ୍ରହ୍ମଙ୍କ ରଥ ନିର୍ମାଣ ସହ ଚନ୍ଦନ ଯାତ୍ରା ଆରମ୍ଭ

ଆଜି ହେଉଛି ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥୀ ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଅନୁକୂଳ ହେବ । ଅପରାହ୍ଣରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ବିଜେ ହେବା ପରେ ଆରମ୍ଭ ହେବ ରଥ ନିର୍ମାଣ । ସେହିପରି ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଚଳଚଞ୍ଚଳ ହେବ ଶ୍ରୀକ୍ଷେତ୍ର । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଏଥିସହ ଅଖିମୁଠି ଅନୁକୂଳ କରିବେ ଚାଷୀ ।ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଆଜିଠୁ ଦାରୁବ୍ରହ୍ମଙ୍କ ରଥତ୍ରୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପୂଜାସ୍ଥଳୀରେ ରହିଛି ଧଉରା କାଠ । ମନ୍ତ୍ର ଧ୍ବନି ମୁଖରିତ ହେବ ରଥଖଳା, ବିଶ୍ବକର୍ମାମାନେ ପାରମ୍ପରିକ ରୀତିନୀତିରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ । ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ । ରୀତିନୀତି ଯଥାବିଧି ପୂଜାର୍ଚ୍ଚନା ସରିବା ପରେବିଶ୍ବକର୍ମା ମାନେ ରଥ ନର୍ମାଣ କରିବେ ।ରଥନିର୍ମାଣ ସହ ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଯାହା 21 ଦିନ ଧରି ଚାଲିବ । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାରୁ ୨୧ ଦିନ ଧରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିରେ ଭୁଦେବୀ, ଶ୍ରୀଦେବୀ ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚ ଶଙ୍କର ଜମ୍ବେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେୟ ଏବଂ ନୀଳକଣ୍ଠ ଏମାନେ ମଧ୍ୟ ମହାପ୍ରଭୁଙ୍କ ସହ ଯାତ୍ରା କରିଥାନ୍ତି ।ଠାକୁର ମାନେ ନରେନ୍ଦ୍ର ସରୋବରରେ ଥିବା ଚନ୍ଦନ କୁଣ୍ଡରେ ଜଳମଗ୍ନ ହୋଇଥାନ୍ତି । ମହାପ୍ରଭୁ ଜଳକେଳି କରିଥାନ୍ତି । କେଳି ମାଣ୍ଡୁଅ ଭୋଗ ଲାଗିଥାଏ । ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଅନୁଭୂତ ହୁଏ ମହାପ୍ରଭୁଙ୍କୁ ଶୀତଲତା ପାଇଁ ଏହି ପର୍ବ ଉଦ୍ଦିଷ୍ଟ । ଏହା ବାମ ଦେବ ସଂହିତାରେ ଉଲ୍ଲେଖ ରହିଛି । ଅକ୍ଷୟ ତୃତୀୟା ରୁ ୨୧ ଦିନ ଧରି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀକୁ ଜଳ ଯାତ୍ରା ପାଇଁ ଯାତ୍ରା କରୁଥିବାରୁ ଏହାକୁ ବାହାର ଚନ୍ଦନ କୁହାଯାଏ ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବରୁ ଅନ୍ୟ ସବୁ ଦିବସରେ ଶ୍ରୀମନ୍ଦିର ଭିତରେ ଯେଉଁ ନୀତି ଅନୁଷ୍ଠିତ ହୋଇଥାଏ ତାହାକୁ ଭିତର ଚନ୍ଦନ କୁହାଯାଏ ।ଆଜିର ଏହି ପବିତ୍ର ଦିନରେ ଚଷାପୁଅ ଅଖିମୁଠି ଅନୁକୂଳ କରିବେ । ଆଜିର ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିଚେନା କରାଯାଏ ଅକ୍ଷୟ ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜିର ଦିନରେ କିଛି କିଣିଲେ ଶୁଭ ବୋଲି ବିବେଚନା କରାଯାଏ ।