Odia News Portal

‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ ୩ୟ ଟେଷ୍ଟ୍‌ ମ୍ୟାଚ୍‌; ଭାରତକୁ ୯ ୱିକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଇନ୍ଦୋରର ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୩ୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି।

ଏହି ମ୍ୟାଚ୍‌ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍‌ ଆବଶ୍ୟକ କରୁଥିଲା। କିନ୍ତୁ, ଏହି ମ୍ୟାଚ୍‌ ଜିଣିବା ପାଇଁ ଭାରତ ପାଇଁ ଯଥେଷ୍ଟ ସୁଯୋଗ ଅଛି ବୋଲି ଦ୍ବିତୀୟ ଦିବସ ଖେଳ ପରେ ଉମେଶ ଯାଦବ କହିଥିଲେ।

ଆଜି ଖେଳ ଆରମ୍ଭର ଦ୍ବିତୀୟ ବଲ୍‌ରେ ଭାରତୀୟ ବୋଲର୍‌ ଆର୍‌. ଅଶ୍ବିନ୍‌ ଅଷ୍ଟ୍ରେଲିଆର ଉସ୍‌ମାନ୍‌ ଖାୱାଜାଙ୍କୁ ଆଉଟ୍‌ କରିଥିଲେ। କିନ୍ତୁ, ଏହାହିଁ ଥିଲା ଭାରତ ପାଇଁ ଆଜିର ସାମାନ୍ୟ ସଫଳତା।

ଏହାପରେ ଅଷ୍ଟ୍ରେଲିଆର ଟ୍ରେଭିସ୍‌ ହେଡ୍‌ ଓ ମାର୍ଣ୍ଣସ୍‌ ଲେବୁସଚେଙ୍ଗ୍‌ଙ୍କ ବ୍ୟାଟିଙ୍ଗ୍‌ ଅଷ୍ଟ୍ରେଲିଆକୁ ବିଜୟ ପଥରେ ଅଗ୍ରସର କରିଥିଲା। ଟ୍ରେଭିସ୍‌ ୪୯ ଓ ମାର୍ଣ୍ଣସ୍‌ ୨୮ ରନ୍‌ ସଂଗ୍ରହ କରିଥିଲେ।

ତୃତୀୟ ଦିବସରେ ମ୍ୟାଚ୍‌ ଜିଣିବା ପରେ ଅଷ୍ଟ୍ରେଲିଆ ‘ୱାର୍ଲଡ୍‌ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌’ର ଶୀର୍ଷରେ ତା’ର ଆସନ ସୁଦୃଢ଼ କରିବାରେ ସମର୍ଥ ହୋଇଛି।  ଚାରି ଶୃଙ୍ଖଳବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ ଟେଷ୍ଟ୍‌ ମ୍ୟାଚ୍‌ରେ ପୂର୍ବରୁ ୨ଟି ମ୍ୟାଚ୍‌ ଜିଣିଥିବା ଭାରତ ୨-୧ରେ ଅଗ୍ରଣୀ ରହିଛି। ଏହାଛଡ଼ା, ଅହମଦାବାଦରେ ଏହି ମ୍ୟାଚ୍‌ର ଆଉ ଗୋଟିଏ ଟେଷ୍ଟ୍‌ ବାକି ରହିଛି। ସେଥିରେ ବିଜୟ ଲାଭ କଲେ ଭାରତ ‘ଡବ୍ଲୁଟିସି’ର ଫାଇନାଲ୍‌ରେ ପହଞ୍ଚିବ।

ସୂଚନାଯୋଗ୍ୟ, ୩ୟ  ମ୍ୟାଚ୍‌ର ଦୁଇଟି ଇନିଙ୍ଗ୍‌ସ୍‌ରେ ଭାରତ ଯଥାକ୍ରମେ ୧୦୯ ଓ ୧୬୩ ରନ୍‌ ସଂଗ୍ରହ କରିଛି।