Odia News Portal

ବେଉସା ବୁଡେଇ ଦେଇଛି ମହାମାରୀ କରୋନା

କାଲିମେଳା: ବେଉସା ବୁଡାଇ ଦେଲା ମହାମାରୀ । ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଲକଡାଉନରେ ହାତ ବାନ୍ଧି ବସିଛନ୍ତି ମାଟି ବିଶ୍ୱକର୍ମା । ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଂଚାୟତ କୁମ୍ଭାରଗୁଡା ଗାଁରେ ବସବାସ କରନ୍ତି ୫୦ରୁ ଅଧିକ କୁମ୍ଭାର ପରିବାର । କିନ୍ତୁ ଲକ୍ ଡାଉନ ଏମାନଙ୍କ ଜୀବନ ଜିବିକାକୁ ଏବେ ଲକ୍ କରି ଦେଇଛି ।.. ମାଟିରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରନ୍ତି କୁମ୍ଭକାରମାନେ । ଗ୍ରୀଷ୍ମଋତୁରେ ୪ ମାସ ଓ ଦୀପାବଳୀ ସମୟରେ ୨ ମାସ କାମକରି ଏମାନେ ନିଜର ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଲକଡାଉନ ପାଇଁ କୁମ୍ଭାର ମାନେ ସେମାନଙ୍କ ଉତ୍ପାଦକୁ ବିକ୍ରି କରିବାରେ ଅସମର୍ଥ ହୋଇପଡିଥିବା ବେଳେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି ।

ବେପାର ନାହିଁ, ତେଣୁ ହାତ ବାନ୍ଧି ବସିବାକୁ ପଡୁଛି । ଲକଡାଉନ ରହିଥିବାରୁ ବାହାଘର, ବ୍ରତଘର, ଏବଂ ବିଭିନ୍ନ ପର୍ବ ପବାଣୀ ପାଇଁ କଟକଣା ରହିଛି । କରୋନା ମହାମାରୀ ଯୋଗୁଁ ଗଲା ୨ ବର୍ଷରେ ବିଭିନ୍ନ ସମୟରେ ଲକଡାଉନ, ସଟଡାଉନ ଘୋଷଣା କରାଯାଇଛି । ଯାହା ଫଳରେ ମାଟିହାଣ୍ଡି, ସରାଘଡି , ଦୀପ ଇତ୍ୟାଦି ତିଆରି ସାମଗ୍ରୀ ତିଆରି ହୋଇ ଖତ ଖାଉଛି ପଛେ ବିକ୍ରି ହୋଇପାରୁନି । ଲକଡାଉନ ପାଇଁ ବଜାର ହାଟ ବନ୍ଦ ଥିବାରୁ ପଡିରିହିଛି ହାତ ତିଆରି ସାମଗ୍ରୀ । ଏମିତି ସମୟ ଦେଇ ଆମେ ଗତି କରୁଛେ ଯେଉଁଠି ଜୀବନ ବଂଚାଇବାକୁ ଲକ୍ ଡାଉନ ଘୋଷଣା ହେଉଛି ଆଉ ତାରି ଭିତରେ ଜୀବିକା ପେଷି ହୋଇ ଯାଉଛି । ସରକାର ଏ ଦିଗରେ ବି ଚିନ୍ତା କରିବାକୁ ଦାବି ହୋଇଛି ।